ଏଇ ଭାରତରେ

Oct 28, 2026 - 08:46
ଏଇ ଭାରତରେ

ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌ ଗଁାରେ ଥିବା କେ. ଖେଲ୍‌. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ହେଉଥିବା ପନିପରିବା ଚିନ୍ତାରୁ ପୂରା ମୁକ୍ତ ହୋଇପାରିଛି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଜୈବିକ ପଦ୍ଧତିରେ ବଗିଚାରେ ବିଭିନ୍ନ ପ୍ରକାର ପରିବା ଉତ୍ପାଦନ କରୁଛନ୍ତି ଏବଂ ତାହା ରୋଷେଇ ହେଉଛି। ଏହାକୁ ଖାଇବା ଯୋଗୁ ଅନେକାଂଶରେ ପିଲାଙ୍କ ପୌଷ୍ଟିକ ଅଭାବ ଦୂର ହୋଇପାରିଛି। ଏବେ ଏହି ଚାଷରେ ସ୍କୁଲର ୬୦ ଜଣ ପିଲା ଜଡ଼ିତ ରହି ସବୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସେମାନେ ବିହନ ଲଗାଇବା, ଘାସ ବାଛିବା ଓ ଗଛରେ ପାଣି ଦେବାଠାରୁ ଆରମ୍ଭ କରି ଜୈବିକ ଖତ ଉତ୍ପାଦନ କରୁଛନ୍ତି। ପିଲାମାନେ ବିଶେଷକରି ବିନ୍ସ, କଖାରୁ, କୋବି, ବିଭିନ୍ନ ପ୍ରକାର ଶାଗ ଉତ୍ପାଦନ କରୁଛନ୍ତି। ଏହା ସହ ଡାଳିମ୍ବ, କମଳାଲେମ୍ବୁ ଓ ପିଜୁଳି ଆଦି ଫଳଚାଷ ମଧ୍ୟ କରୁଛନ୍ତି। ଜୈବିକ ଚାଷ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ୨୦୧୧ରେ ପ୍ରଥମେ ପରିବା ଚାଷ ସ୍କୁଲର ଛୋଟ ବଗିଚାରେ ଆରମ୍ଭ କରାଯାଇଥିଲା। ଏବେ ଅଧିକ ଜମିରେ ଚାଷ କରାଯାଇ ସ୍କୁଲରେ ମଧ୍ୟାହ୍ନଭୋଜନ ଆବଶ୍ୟକତା ପୂରଣ କରାଯିବା ସହ ବଳକା ପରିବା ମଧ୍ୟ ବିକ୍ରି କରାଯାଇ ସ୍କୁଲର ବିକାଶ କାର୍ଯ୍ୟରେ ଲାଗିପାରୁଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।