ବିଶ୍ବରେ ହଲଚଲ୍, ଟ୍ରମ୍ପ୍ଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ପୂର୍ବତନ ମିସ୍ ସୁଇଜରଲାଣ୍ଡ
ଓ୍ବାଶିଂଟନ, ୨୮।୧୦: ହାଉସ ଜୁଡିସିଆରି କମିଟିର ଡେମୋକ୍ରାଟ୍ସଙ୍କ ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟକୁ ଆଧାର କରି ପିପୁଲ.କମ୍ ରିପୋର୍ଟ କହିଛି ଯେ, ପୂର୍ବତନ ମିସ୍ ସୁଇଜରଲାଣ୍ଡ ବେଆଟ୍ରିସ କ୍ୟୁଲ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୧୯୯୩ ମସିହାରେ ନ୍ୟୁୟର୍କ ସିଟିର ଏକ ହୋଟେଲରେ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆଣିଛନ୍ତି। ଏହି ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନ୍ଙ୍କ ସେକ୍ସ ଟ୍ରାଫିକିଂ କାରବାର ସହ ଟ୍ରମ୍ପଙ୍କ ସମ୍ପର୍କର ସମୀକ୍ଷା କରାଯାଇଛି। ହ୍ବାଇଟ ହାଉସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଥ୍ୟା ବୋଲି କହିଛି ଏବଂ କଂଗ୍ରେସର ଏହି ରିପୋର୍ଟକୁ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିବା ପାଇଁ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ ବୋଲି ବର୍ଣ୍ଣନା କରିଛି।
ଏପଷ୍ଟାଇନ ଓ ଅନ୍ୟମାନେ ‘ଡୋନାଲ୍ଡ ଜେ ଟ୍ରମ୍ପ୍ ଆମେରିକାନ ଡ୍ରିମ୍ ପେଜେଣ୍ଟ’କୁ ଅସହାୟ ଯୁବତୀ ଓ ନାବାଳିକାମାନଙ୍କୁ ଶିକାର କରିବା ପାଇଁ ଏକ ଶିକାର ଭୂମି ଭାବରେ ବ୍ୟବହାର କରୁଥିବା ରିପୋର୍ଟରେ କୁହାଯାଇଛି। ୨୪ ବର୍ଷ ବୟସ୍କା କ୍ୟୁଲଙ୍କୁ ନଭେମ୍ବର ୧୯୯୩ ରେ ଆଟଲାଣ୍ଟିକ ସିଟି ଏବଂ ନ୍ୟୁୟର୍କରେ ହେବାକୁ ଥିବା ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲ ହାର୍ଥଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିଲା। ପ୍ଲାଜା ହୋଟେଲରେ ଏକ ପ୍ରେସ ମଧ୍ୟାହ୍ନ ଭୋଜନ ସମୟରେ କ୍ୟୁଲ ଟ୍ରମ୍ପଙ୍କୁ ଭେଟିଥିଲେ, ଯାହା ସେତେବେଳେ ଟ୍ରମ୍ପଙ୍କ ମାଲିକାନାରେ ଥିଲା। ଟ୍ରମ୍ପ ତାଙ୍କୁ ଭିଜା ପାଇବା ଏବଂ ନ୍ୟୁୟର୍କ ୟୁନିଭରସିଟିରେ ନାମ ଲେଖାଇବାରେ ସାହାଯ୍ୟ କରିବାକୁ ଅଫର୍ ଦେଇଥିଲେ।
ଏପଷ୍ଟାଇନ କ୍ୟୁଲଙ୍କୁ ଫ୍ଲୋରିଡାରେ ଥିବା ଟ୍ରମ୍ପଙ୍କ ମାର୍-ଏ-ଲାଗୋ ସମ୍ପତ୍ତିରେ ଏକ ପାର୍ଟିରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ପରେ କ୍ୟୁଲ ସେହି ପାର୍ଟିକୁ ଯାଇଥିଲେ ଯେଉଁଠାରେ ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ଟ୍ରମ୍ପ ତାଙ୍କୁ ଚୁପ ରହିବାକୁ କହିବା ସହ ଭିଜା ଏବଂ ୟୁନିଭରସିଟି ନାମଲେଖାରେ ସାହାଯ୍ୟ କରିବା ପ୍ରତିଶ୍ରୁତି ଦୋହରାଇଥିଲେ।
କିଛି ମାସ ପରେ, ଟ୍ରମ୍ପ ସୁଇଜରଲାଣ୍ଡରେ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ପୁଣି ଥରେ ଭିସା ଏବଂ ଏନ୍ଓ୍ବାଇୟୁ ରେ ନାମ ଲେଖାଇବାରେ ସାହାଯ୍ୟ କରିବାକୁ ଅଫର୍ ଦେଇଥିଲେ, କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।