ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନକୁ ହରାଇ ଭାରତ ଚାମ୍ପିୟନ

Nov 06, 2026 - 00:14

ମୋହାଲି,୫।୧୧: ଏସିଆନ ଚାମ୍ପିିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ୪-୧ ଗୋଲରେ ଜାପାନକୁ ହରାଇ ଚାମ୍ପିୟନ ହୋଇଛି। ଭାରତ ରେକର୍ଡ ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଛି। ଏହି ମ୍ୟାଚ୍‌ ଜରିଆରେ ହାର୍ଦ୍ଦିକ ସିଂ ଅନ୍ତର୍ଜାତୀୟ ହକିରେ ୨୦୦ ମ୍ୟାଚ୍‌ ପୂରଣ କରିଥିବା ବେଳେ ୩୧ ବର୍ଷୀୟ ନିଳକାନ୍ତ ଶର୍ମା ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିଛନ୍ତି। ଏଥିପୂର୍ବରୁ ଅନୁଷ୍ଠିତ ପ୍ଲେଅଫ୍‌ ମ୍ୟାଚ୍‌ରେ ଏସିଆନ ଗେମ୍ସ ରନରଅପ୍‌ ମାଲେସିଆ ୫-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲା।

ଭାରତ ବିପକ୍ଷରେ ଜାପାନ ଆରମ୍ଭରୁ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ଏପରିକି ୩ୟ ମିନିଟ୍‌ରେ କୁଜୁମାସା ମାତସୁମୋତୋଙ୍କ ଗୋଲ ଜରିଆରେ ଜାପାନ ପ୍ରଥମ ଗୋଲ କରିଥିଲା। ଭାରତ ପକ୍ଷରୁ ଅନେକ ପ୍ରତି ଆକ୍ରମଣ ସତ୍ତ୍ୱେ ପ୍ରଥମାର୍ଦ୍ଧ ସୁଦ୍ଧା ଜାପାନ ୧-୦ ଗୋଲରେ ଆଗରେ ରହିଥିଲା।
ତୃତୀୟ କ୍ୱାର୍ଟରରେ ଆଦିତ୍ୟଙ୍କଠାରୁ ପାଇଥିବା ପାସ୍‌କୁ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା (୪୨ତମ ମିନିଟ୍‌) ଗୋଲ ସ୍କୋର କରି ମ୍ୟାଚ୍‌କୁ ବରାବର କରିଥିଲେ। ଏହି ସ୍କୋର ଲାଇନ ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର ଆରମ୍ଭରୁ ସକରାତ୍କମ ଖେଳ ଦେଖାଇଥିଲା ଭାରତ। ଫଳରେ ୪୮ତମ ମିନିଟ୍‌ରେ ଦିଲପ୍ରୀତ ସିଂଙ୍କ ଫିଲ୍ଡ ଗୋଲ ବଳରେ ଭାରତ ୨-୧ର ଅଗ୍ରଣୀ ହାସଲ କରିଥିଲା। ଏହାପରେ ୫୩ତମ ମିନିଟ୍‌ରେ ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ନର(ପିସି)ରୁ ଜୁଗରାଜ ସିଂ ଗୋଲ ସ୍କୋର କରି ଭାରତର ବିଜୟ ନିଶ୍ଚିତ କରିଥିଲେ। ମ୍ୟାଚ୍‌ ଶେଷ ଆଡ଼କୁ ରିବାଉଣ୍ଡ ହୋଇ ଫେରୁଥିବା ବଲକୁ ଜାପାନିଜ ଗୋଲକିପରଙ୍କ ଦୁଇ ଗୋଡ଼ ମଧ୍ୟରେ ଏକ ଶକ୍ତିଶାଳୀ ଶଟ୍‌ ଖେଳି ବିବେକ ସାଗର ପ୍ରସାଦ (୫୪ତମ) ଭାରତ ପାଇଁ ଚତୁର୍ଥ ଗୋଲ ସ୍କୋର କରିଥିଲେ।

The post ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନକୁ ହରାଇ ଭାରତ ଚାମ୍ପିୟନ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।