ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ହାସଲ କଲା ଧମାକାଦାର ବିଜୟ

Nov 06, 2026 - 08:12
ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ହାସଲ କଲା ଧମାକାଦାର ବିଜୟ

ନୂଆଦିଲ୍ଲୀ,୬।୧୧: SAFF ଚାମ୍ପିୟନଶିପ ୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ ଟିମ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ବିଜୟ ସହ ଭାରତ ଖାତାକୁ ଆସିଛି ପୂରା ୩ ପଏଣ୍ଟ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଭାରତୀୟ ଖେଳାଳିଙ୍କ ଦବଦବା ରହିଥିଲା। ସୁହେଲ ଭଟ୍ଟର ଦୁଇଟି ଗୋଲ ଏବଂ କିପଗେନଙ୍କ ଗୋଟିଏ ଗୋଲ ବଳରେ ଭାରତ ୩-୦ରେ ଆଗୁଆ ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ପାକିସ୍ତାନ ଦୁଇଟି ଗୋଲ ଦେଇ ମ୍ୟାଚକୁ ରୋମାଞ୍ଚକ କରିଥିଲେ ମଧ୍ୟ ବିଜୟ ହାସଲ କରିପାରି ନ ଥିଲା।

ମ୍ୟାଚ ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଖେଳର ୧୩ତମ ମିନିଟ୍‌ରେ ମହମ୍ମଦ ସୁହେଲ ବାମପାର୍ଶ୍ୱରୁ ଏକ ସୁନ୍ଦର ମୁଭ କରି ବଲ୍‌କୁ ଗୋଲପୋଷ୍ଟ ସାମ୍ନାକୁ ପଠାଇଥିଲେ। ସେଠାରେ ସୁହେଲ ଭଟ କୌଣସି ଭୁଲ ନକରି ବଲ୍‌କୁ ଗୋଲପୋଷ୍ଟ ଭିତରକୁ ପଠାଇ ଭାରତକୁ ୧-୦ରେ ଆଗୁଆ କରିଥିଲେ।

ଏହାର ମାତ୍ର ୬ ମିନିଟ ପରେ ଅର୍ଥାତ୍‌ ୧୯ତମ ମିନିଟ୍‌କୁ ଭାରତ ଦ୍ୱିତୀୟ ଗୋଲ ଦେଇଥିଲା। ମଧ୍ୟଭାଗରୁ ସୂର୍ଯ୍ୟକୁମାର ଏକ ସୁନ୍ଦର ପାସ ଦେଇ ସୁହେଲ ଭଟ୍ଟଙ୍କ ପାଇଁ ଗୋଲ କରିବାର ସୁଯୋଗ ସୃଷ୍ଟି କରିଥିଲେ। ଭଟ ଏହାର ସଠିକ ଫାଇଦା ଉଠାଇ ବଲ୍‌କୁ ଗୋଲ୍‌କୁ ଡାହାଣ ପାର୍ଶ୍ୱକୁ ପଠାଇ ଦେଇଥିଲେ। ଫଳରେ ଭାରତର ଅଗ୍ରଣୀ ୨-୦ ହୋଇଥିଲା।

ମ୍ୟାଚ୍ର ୩୨ତମ ମିନିଟ୍‌ରେ ନୁଫାଲ ଚମତ୍କାର ଡ୍ରିବଲିଂ କରି ବଲ୍‌କୁ କିପଗେନଙ୍କ ପାଖରେ ପହଞ୍ଚାଇଥିଲେ। କିପଗେନ ଏକ ଜବରଦସ୍ତ ସଟ ମାରି ଭାରତ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ। ଅନ୍ୟପଟେ ପାକିସ୍ତାନକୁ ପେନାଲ୍ଟି ମିଳିଥିଲେ ମଧ୍ୟ ଶାୟକ ଦୋସ୍ତଙ୍କ ସଟ ଭଟ୍ଟ ଉପରେ ଚାଲିଯାଇଥିଲା। ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୩-୦ରେ ଆଗୁଆ ରହିଥିଲା।

ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ନିଜର ୩-୦ ଅଗ୍ରଣୀକୁ ବଜାୟ ରଖିବା ଉପରେ ଧ୍ୟାନ ଦେଇଥିଲା। ଏହି ସମୟରେ ଭାରତ ନିଜର ପାଞ୍ଚ ଜଣ ଖେଳାଳିଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇଥିଲା। ଫାରୁକ ଓ କେକଲ କିଛି ଭଲ ଆକ୍ରମଣ କରିଥିଲେ ମଧ୍ୟ ଆଉ ଗୋଲ ହୋଇପାରି ନ ଥିଲା।

ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ ଭାରତ ସହଜରେ ବିଜୟୀ ହେବ ବୋଲି ଲାଗୁଥିଲା। ହେଲେ ଇଞ୍ଜୁରି ଟାଇମରେ ପାକିସ୍ତାନ ଦୁଇଟି ଗୋଲ ଦେଇ ମ୍ୟାଚକୁ ରୋମାଞ୍ଚକ କରିଦେଇଥିଲା। ୯୧ତମ ମିନିଟ୍‌ରେ ନଜିବୁଲ୍ଲା ହେଡର୍‌ ଜରିଆରେ ପାକିସ୍ତାନ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାର ମାତ୍ର ଦୁଇ ମିନିଟ ପରେ ୯୩ତମ ମିନିଟ୍‌ରେ ଆଲମଗୀର ଘାଜି ଏକ ଚମତ୍କାର ଭଲି ସଟ ମାରି ଦ୍ୱିତୀୟ ଗୋଲ ଦେଇଥିଲେ।

ଏହାପରେ ସ୍କୋର ୩-୨ ହୋଇଯାଇଥିଲା ଏବଂ ମ୍ୟାଚ୍‌ରେ ଉତ୍କଣ୍ଠା ବଢ଼ିଯାଇଥିଲା। ତେବେ ଭାରତୀୟ ଗୋଲକିପର ଅର୍ଶ ଶେଖ ଶେଷ ମୁହୂର୍ତ୍ତରେ ଚମତ୍କାର ରକ୍ଷଣ କରି ପାକିସ୍ତାନକୁ ଗୋଲ ପରିଶୋଧ କରିବାର ସୁଯୋଗ ଦେଇ ନ ଥିଲେ। ଶେଷରେ ଭାରତ ୩-୨ ଗୋଲ୍‌ରେ ବିଜୟୀ ହୋଇଥିଲା। ଏହି ବିଜୟ ସହ SAFF ଚାମ୍ପିୟନଶିପ ୨୦୨୬ରେ ଭାରତ ନିଜର ଅଭିଯାନକୁ ୩ ପଏଣ୍ଟ ସହ ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।