ଏହି କାମ କରି ହୃଦୟ ଜିତିଲେ ରଶ୍ମିକା ମନ୍ଦାନା: ସମସ୍ତେ କରୁଛନ୍ତି ସଲାମ୍
ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜ ଅଭିନୟ ସହ ମାନବିକତା ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଆଗାମୀ ଫିଲ୍ମ ‘ରଣବାଲି’କୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ତାଙ୍କର ଏକ ମହତ୍ ପଦକ୍ଷେପ ପ୍ରଶଂସକଙ୍କ ମନ ଜିଣିଛି। ଅଭିନେତ୍ରୀ ୪୦୦ଟି ପରିବାରକୁ ସହାୟତା କରିବାର ଦାୟିତ୍ୱ ନେଇଛନ୍ତି। ଆଗାମୀ ବର୍ଷେ ପର୍ଯ୍ୟନ୍ତ ପ୍ରତିଥର ତିନି ମାସ ପାଇଁ ଏହି ପରିବାରଗୁଡ଼ିକର ରାସନ ଓ ଗ୍ରୋସରି ଖର୍ଚ୍ଚରେ ସହଯୋଗ କରିବେ।
ରଶ୍ମିକାଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆର୍ଥିକ ଭାବେ ଅସୁବିଧାରେ ଥିବା ପରିବାରଗୁଡ଼ିକୁ ଦୈନନ୍ଦିନ ଖର୍ଚ୍ଚରୁ କିଛିଟା ଆଶ୍ୱସ୍ତି ଦେବା। ରାସନ ଓ ଗ୍ରୋସରି ପାଇଁ ହେଉଥିବା ଖର୍ଚ୍ଚ କମିଲେ ପରିବାରଗୁଡ଼ିକ ନିଜର କିଛି ଟଙ୍କା ସଞ୍ଚୟ କରିପାରିବେ। ଏହି ଅର୍ଥକୁ ସେମାନେ ଭବିଷ୍ୟତର ଯୋଜନା ଏବଂ ଅନ୍ୟ ଜରୁରୀ ଆବଶ୍ୟକତା ପାଇଁ ବ୍ୟବହାର କରିପାରିବେ। ବିଶେଷ କଥା ହେଉଛି, ଏହି ମାନବିକ ପ୍ରୟାସକୁ ରଶ୍ମିକା ‘ରଶ୍ମିକା ଦେବରକୋଣ୍ଡା’ ନାମରେ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
ରଶ୍ମିକା ନିଜ ଆଗାମୀ ଫିଲ୍ମ ‘ରଣବାଲି’ରେ ଅଭିନୟ କରିଥିବା ଜୟମ୍ମା ଚରିତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। କିଛି ଚରିତ୍ର କେବଳ ପରଦାରେ ସୀମିତ ରହେ ନାହିଁ; ବରଂ ଅଭିନେତାଙ୍କ ଜୀବନ ଓ ଚିନ୍ତାଧାରା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଜୟମ୍ମାଙ୍କ ସହ ନିଜର କିଛି ସମାନତା ରହିଥିବା କଥା ମଧ୍ୟ ସେ କହିଛନ୍ତି। ଏହି ସହାୟତା କାର୍ଯ୍ୟ ତାଙ୍କ ବ୍ୟକ୍ତିଗତ ଚିନ୍ତାଧାରା ଓ ମାନବିକ ଭାବନାର ଏକ ଅଂଶ। ତାଙ୍କର ଆଶା, ଏହି ପ୍ରୟାସ ଦେଖି ଅନ୍ୟମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତା କରିବାକୁ ଆଗେଇ ଆସିବେ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ରଶ୍ମିକା କହିଛନ୍ତି, ପୂର୍ବରୁ ସେ ନିଜର ଏପରି ସହାୟତାମୂଳକ କାର୍ଯ୍ୟକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରୁଥିଲେ। କିନ୍ତୁ ଏବେ ସେ ଏହା ବିଷୟରେ ଖୋଲାଖୋଲି କହିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ପ୍ରେରଣା ପାଇପାରିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।