ଅଭିଯୁକ୍ତ ସୌମ୍ୟଙ୍କୁ ଅତିରିକ୍ତ ଡିସିପି ସୁରକ୍ଷା ଦେଉଥିବା ଚର୍ଚ୍ଚା: ଚର୍ଚ୍ଚିତ ଆଇକାର୍ଡ, ପୋଲିସ ଚୁପ୍
ଭୁବନେଶ୍ୱର,୧୪।୧୦(ତ୍ରିନାଥ ମହାନ୍ତି): କାର ମଡ଼ାଇ ହତ୍ୟା ଉଦ୍ୟମ କରିଥିବା ଆଇନ ଛାତ୍ର ସୌମ୍ୟରଞ୍ଜନ ରଥଙ୍କୁ ସୁରକ୍ଷା ଦେଉଥିଲେ କି ଭୁବନେଶ୍ୱରର ଅତିରିକ୍ତ ଡିସିପି ତପନ କୁମାର ପଟ୍ଟନାୟକ। ସୌମ୍ୟ କଟକ-ପୁରୀ ବାଇପାସ୍ର କେଶୁରା ଛକରେ ଦୁର୍ଘଟଣା ଘଟାଇବା ପରେ ତାଙ୍କ କାର୍ରୁ ଅତିରିକ୍ତ ଡିସିପି ତପନ ପଟ୍ଟନାୟକଙ୍କ ନାମରେ ଏକ ଆଇ କାର୍ଡ ମିଳିବା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। ଜଣେ ଅତିରିକ୍ତ ଡିସିପିଙ୍କ ଆଇ କାର୍ଡ କିଭଳି ସୌମ୍ୟଙ୍କ କାର୍କୁ ଆସିଲା। ତାଙ୍କୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ ଡିସିପି ଏହି ଆଇକାର୍ଡ ଦେଇ ନ ଥିଲେ ତ? ଆହୁରି ମଧ୍ୟ ଅତିରିକ୍ତ ଡିସିପିଙ୍କୁ ଅଭିଯୁକ୍ତ ସୌମ୍ୟ ମାମୁ ବୋଲି ସମ୍ବୋଧନ କରୁଥିବା ଦେଖାଯାଇଛି। ତେଣୁ ଏହି ଘଟଣା ପଛରେ ଆଇକାର୍ଡର ଗୁରୁତ୍ୱ ବଢ଼ିଯାଇଛି। ହେଲେ ଉକ୍ତ ଆଇକାର୍ଡକୁ ନେଇ ପୋଲିସ ଖୋଳତାଡ଼ କରୁ ନ ଥିବାରୁ ଓ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଲୁଚାଉଥିବାରୁ ସନ୍ଦେହ ବଢ଼ିଛି। ସେହିଭଳି ସୌମ୍ୟଙ୍କ ଫୋନ୍ରୁ ତପନଙ୍କ ଫୋନ୍ ନମ୍ବରକୁ ଡାଏଲ ହୋଇଥିବା ଜାଣିବାକୁ ମିଳିଛି। ସୌମ୍ୟଙ୍କ ଫୋନ୍ କଲ୍ ଡିଟେଲ୍ସ ଯାଞ୍ଚ କରାଗଲେ ପୋଲିସ ବାବୁଙ୍କ ସହ କ’ଣ ସମ୍ପର୍କ ରହିଛି ତାହା ଜଣାପଡ଼ିବ। ହେଲେ ଆଇକାର୍ଡଟି ଜଣେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ ନାମରେ ଥିବାରୁ ବଡ଼ଗଡ଼ ଥାନାର ତଳ ପଦବୀରେ ଥିବା ତଦନ୍ତକାରୀ ଅଧିକାରୀ କିଭଳି ତାଙ୍କୁ ପଚରାଉଚରା କରିବାକୁ ସାହସ କରିବେ, ସେନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ହତ୍ୟା ଉଦ୍ୟମର ସମ୍ମୁଖୀନ ହୋଇଥିବା ଡାର୍ଲିଂ ଢାବାର ମାଲିକ ଓ କର୍ମଚାରୀ କହିଛନ୍ତି, ରାତିତମାମ ସୌମ୍ୟ ଓ ତାଙ୍କ ବନ୍ଧୁ ବୁଲି ବୁଲି କାର୍ରେ ମଦ ପିଉଥିଲେ। ନିଶାରେ ସେମାନେ ସକାଳ ସାଢେ ୭ଟାରେ ଢାବା ଆଗରେ ଗାଡ଼ି ଲଗାଇଥିଲେ। ପାଣି ବୋତଲ ଓ ଗ୍ଲାସ୍ ମାଗିଥିଲେ। ସବୁ କିଛି ଦେବା ପରେ ଟଙ୍କା ମାଗିବାରୁ ସୌମ୍ୟ ରାଗିଯାଇଥିଲେ। ମୋ ମାମୁ ଭୁବନେଶ୍ୱରର ଅତିରିକ୍ତ ଡିସିପି। ତୁ କ’ଣ ମୋତେ ଟଙ୍କା ମାଗୁଛୁ? ତୋତେ ମାରି ଦେଲେ ବି କେହି କିଛି ମୋର କିଛି କରିପାରିବେ ନାହିଁ। ଏହି କଥାକୁ ନେଇ ହୋଟେଲ ମାଲିକ ଓ କର୍ମଚାରୀଙ୍କ ସହ ସୌମ୍ୟ ଝଗଡ଼ା କରିଥିଲେ। ରହ ଆସୁଛି କହି କାର୍କୁ ନେଇ କିଛି ଦୂର ଗଲେ। ସେଠାରୁ କାର୍କୁ ବୁଲାଇ ଦ୍ରୁତିଗତିରେ ଆଣି ସେମାନଙ୍କ ଉପରେ ଚଢ଼ାଇ ମାରିବାକୁ ଉଦ୍ୟମ କରିଥିଲେ। ହେଲେ ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ପୁଣି କେଶୁରାରୁ ଗାଡ଼ି ବୁଲାଇ ଆଣି ଦ୍ରୁତଗତିରେ ଆସିବାବେଳେ ଏକ କାର୍ ଡ୍ରାଇଭରଙ୍କୁ ଧକ୍କାଦେବା ପରେ ଅନ୍ୟ ୬ଜଣଙ୍କୁ ଧକ୍କା ଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।