ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…
ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ ମତରେ ଜଣେ ଭଲ ଏବଂ ଆଦର୍ଶ ସ୍ତ୍ରୀ ଗୋଟିଏ ଗୃହକୁ ସ୍ବର୍ଗରେ ପରିଣତ କରିପାରନ୍ତି।
ଦିନେ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସଭାରେ ଚାଣକ୍ୟଙ୍କୁ ପଚାରିଲେ,‘ଗୁରୁଦେବ! ରାଜ୍ୟ ପରିଚାଳନାରେ ସେନା ଓ ରାଜକୋଷର ମହତ୍ତ୍ୱ ତ ରହିଛି, କିନ୍ତୁ ଜଣେ ବ୍ୟକ୍ତିର ସଂସାର ଏବଂ ପରିବାରରେ ଜଣେ ‘ଆଦର୍ଶ ସ୍ତ୍ରୀ’ର ଭୂମିକା କ’ଣ ଏବଂ କିପରି ହେବା ଦରକାର?
ଚାଣକ୍ୟ ହସିଲେ ଏବଂ ଏକ ସୁନ୍ଦର ଉଦାହରଣ ଦେଇ ବୁଝାଇଲେ, ରାଜନ! ଯେଉଁ ଗୃହରେ ସତ୍ୟବାଦୀ, ଦକ୍ଷ ଏବଂ ସୁଖ-ଦୁଃଖରେ ସାଥୀ ହୋଇ ରହୁଥିବା ସ୍ତ୍ରୀ ଥାଆନ୍ତି, ସେହି ଗୃହରେ ସାକ୍ଷାତ୍ ଲକ୍ଷ୍ମୀ ବାସ କରନ୍ତି। ଚାଣକ୍ୟ ଆଦର୍ଶ ସ୍ତ୍ରୀଙ୍କର ତିନୋଟି ମୁଖ୍ୟ ଗୁଣ ବିଷୟରେ କହିଛନ୍ତି। ସେଗୁଡ଼ିକ ହେଲା…

ଚାଣକ୍ୟଙ୍କ ଅନୁସାରେ, ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ମୂଳଦୁଆ ହେଉଛି ବିଶ୍ୱାସ। ଜଣେ ଆଦର୍ଶ ସ୍ତ୍ରୀ ନିଜ ସ୍ବାମୀଙ୍କ ପ୍ରତି ସଦାସର୍ବଦା ବିଶ୍ୱସ୍ତ ରହିବା ଉଚିତ। ତାଙ୍କର ଆଚରଣ ଶୁଦ୍ଧ, ନିର୍ମଳ ଏବଂ ସତ୍ୟବାଦୀ ହେବା ଦରକାର। ସେ କେବଳ ନିଜ ସ୍ବମୀଙ୍କୁ ଭଲପାଆନ୍ତି ନାହିଁ, ବରଂ କୌଣସି ପରିସ୍ଥିତିରେ ବି ମିଥ୍ୟାର ଆଶ୍ରୟ ନିଅନ୍ତି ନାହିଁ। ଯେଉଁ ଘରେ ସତ୍ୟ ଓ ଭଲପାଇବା ଥାଏ, ସେଠାରେ କେବେ ବି ମନୋମାଳିନ୍ୟ ସୃଷ୍ଟି ହୁଏନାହିଁ।

ଚାଣକ୍ୟ ନୀତି ଅନୁସାରେ, ଜଣେ ପ୍ରକୃତ ବୁଦ୍ଧିମତୀ ନାରୀ ସେହି, ଯିଏ ସୀମିତ ପାଣ୍ଠି କିମ୍ବା ସମ୍ବଳ ମଧ୍ୟରେ ବି ପରିବାରର ଆବଶ୍ୟକତାକୁ ସୁନ୍ଦର ଭାବରେ ପରିଚାଳନା କରିପାରନ୍ତି। ଅତ୍ୟାବଶ୍ୟକ ସମୟରେ ଅଯଥା ଖର୍ଚ୍ଚ ନ କରି, ପରିବାରର ଭବିଷ୍ୟତ ପାଇଁ ସଞ୍ଚୟ କରିବା ଏବଂ ଗୃହର ପ୍ରତ୍ୟେକ ସଦସ୍ୟଙ୍କ ଯତ୍ନ ନେବା ଜଣେ ସୁଗୃହିଣୀଙ୍କର ବଡ଼ ଗୁଣ। ସେ ନିଜର ଚତୁରତା ଓ ବୁଦ୍ଧିମତ୍ତା ଦ୍ୱାରା ଘରକୁ ଆର୍ଥିକ ଓ ମାନସିକ ସଙ୍କଟରୁ ରକ୍ଷା କରନ୍ତି।

ସୁଖ ସମୟରେ ତ ସମସ୍ତେ ସାଥୀ ହୋଇଥାନ୍ତି, କିନ୍ତୁ ପ୍ରକୃତ ପରୀକ୍ଷା ଦୁଃଖ ଓ ସଙ୍କଟ ସମୟରେ ହୋଇଥାଏ। ଚାଣକ୍ୟଙ୍କ ମତରେ, ଜଣେ ଆଦର୍ଶ ସ୍ତ୍ରୀ ବିପଦ ସମୟରେ ଢାଲ ପରି ନିଜ ସ୍ବାମୀଙ୍କ ପଛରେ ଛିଡ଼ା ହୁଅନ୍ତି। ସ୍ବାମୀଙ୍କର ଭଲ ସମୟ ହେଉ କିମ୍ବା ଖରାପ ସମୟ, ସେ କେବେ ବି ନିଜର ଆସ୍ଥା ହରାନ୍ତି ନାହିଁ, ବରଂ ସ୍ବାମୀଙ୍କୁ ଧୈର୍ଯ୍ୟ ଓ ସାହସ ଦେଇ ପ୍ରତ୍ୟେକ ସମସ୍ୟାରୁ ବାହାରିବାରେ ସାହାଯ୍ୟ କରନ୍ତି।

ଚାଣକ୍ୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ କଥା ଶୁଣି ଚନ୍ଦ୍ରଗୁପ୍ତ ବୁଝିପାରିଲେ ଯେ, ଜଣେ ବ୍ୟକ୍ତିର ସଫଳତା ପଛରେ ତାଙ୍କର ଆଦର୍ଶ ସ୍ତ୍ରୀଙ୍କର ହାତ ରହିଥାଏ। ଏହିପରି ନାରୀ ଗୋଟିଏ କୁଳର ନାମ ରଖନ୍ତି ଏବଂ ପରିବାରକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦିଅନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।