ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ
ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ବାର୍ଷିକ ତର୍କ ପ୍ରତିଯୋଗିତା-୨୦୨୬ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ବ୍ଲକର ୨୫ଟି ଉଚ୍ଚ ବିଦ୍ୟାଳୟରୁ ୪୪ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଜଙ୍ଗଲ, ବନ୍ୟପ୍ରାଣୀ ଓ ଲୁଣା ହେନ୍ତାଳ (ମାଙ୍ଗ୍ରୋଭ) ଜଙ୍ଗଲ ସୃଷ୍ଟି କରିବା ମାନବ ଜାତିର ଭବିଷ୍ୟତ ଗଢ଼ିବାରେ ବିଶେଷ ସହାୟକ ହୋଇଥାଏ ବୋଲି ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଆମର ଏହି ସୁନ୍ଦର ପୃଥିବୀରେ ପରିବେଶ ସନ୍ତୁଳନ ଓ ଉପକୂଳ ସୁରକ୍ଷାରେ ଲୁଣା ହେନ୍ତାଳ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଆମକୁ ସଚେତନ ରହିବା ସହ ଶପଥ ନେବାକୁ ପଡ଼ିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ଜିଲାର ବହୁଚର୍ଚ୍ଚିତ ଭିତରକନିକାର ସବୁଜ ପରିବେଶ ଏବଂ ଗହିରମଥାରେ ଅଲିଭ ରିଡ଼ଲେ କଇଁଛମାନଙ୍କ ମିଳନସ୍ଥଳୀ ପାଇଁ ଆମ ଜିଲା ଗର୍ବିତ ବୋଲି ସେମାନେ କହିଥିଲେ। ଏହି ଅବସରରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ମଧ୍ୟ ପାଳିତ ହୋଇଥିଲା।
ଏହି ପ୍ରତିଯୋଗିତାରେ ଦୋଳି ଗାଁ ଉଚ୍ଚ ବିଦ୍ୟାଳୟ ଛାତ୍ର ଦେବ ପ୍ରକାଶ ମହାନ୍ତି ପ୍ରଥମ ସ୍ଥାନ , ଦ୍ଵିତୀୟରେ ବଟ ମହାପୁରୁଷ ଉଚ୍ଚ ବିଦ୍ୟାଳୟ ବଡ଼ ଗାଁ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ବେହେରା ଓ ତୃତୀୟରେ ଗାନ୍ଧୀଜୀ ବିଦ୍ୟାପୀଠ ଗୋଜାବନ୍ଧର ଛାତ୍ରୀ ସୁପ୍ରିୟା ସୋନମ ବେହେରା ପ୍ରମୁଖ ଅତିଥିମାନଙ୍କଠାରୁ ମାନପତ୍ର ଆର୍ଥିକ ରାଶି ଓ ଟ୍ରଫି ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବୀ ବଳରାମ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମହାକାଳପଡ଼ା ଥାନା ଅଧିକାରୀ ବନ୍ଦନା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରମେଶ ରାଉତ,ପ୍ରଧାନଶିକ୍ଷୟିତ୍ରୀ ଅଞ୍ଜଳି ବେହେରା, ସହ-ଥାନା ଅଧିକାରୀ ଦୀନବନ୍ଧୁ ପ୍ରଧାନ, ଆଲୋକ ରଥ ଏବଂ ବନପାଳ ମଙ୍ଗଳ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଶୋକ ସ୍ୱାଇଁ ଓ ଶ୍ରୀମନ୍ତ ଦାସ ପରିଚାଳନା କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।