କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

Oct 04, 2026 - 10:32
କଣ୍ଟାପଡ଼ା ଯାତ୍ରା ଦେଖିବା  ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଡିହପଢ଼ାଳ ଗ୍ରାମର ଦେବେନ୍ଦ୍ର ମଲ୍ଲିକଙ୍କ ପୁଅ ରାକେଶ ମଲ୍ଲିକ (୧୯)।

ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ରାକେଶ, ତାଙ୍କ ବଡ଼ଭାଇ ଦିନେଶ ଓ କିଛି ସାଙ୍ଗ ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ। ରାତି ପ୍ରାୟ ୧୨ଟା ସମୟରେ ସମସ୍ତେ ଏକ ହୋଟେଲରେ ଖାଇ ଘରକୁ ଫେରୁଥିଲେ। ଲାଠିପଡ଼ା ନିକଟରେ ରାକେଶ ସାଙ୍ଗଙ୍କ ଗାଡ଼ିରୁ ଓହ୍ଲାଇ ବଡ଼ଭାଇ ଦିନେଶଙ୍କ ବାଇକ୍‌ରେ ବସିଥିଲେ।

ଦୁଇ ଭାଇ ଗୋଟିଏ ବାଇକ୍‌ରେ ଆସୁଥିବା ବେଳେ ପ୍ରାୟ ଦୁଇ କିଲୋମିଟର ଯିବା ପରେ ହଠାତ୍‌ ଏକ ଜନ୍ତୁ ସେମାନଙ୍କ ବାଇକ୍‌ ସମ୍ମୁଖକୁ ଚାଲିଆସିଥିଲା। ଫଳରେ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ବାଇକ୍‌ରୁ ଛିଟିକି ପଡ଼ି ରାକେଶ ଗୁରୁତର ଆହତ ହୋଇଥିବା ବେଳେ ଦିନେଶ ସାମାନ୍ୟ ଆହତ ହୋଇଥିଲେ। ପଛରେ ଆସୁଥିବା ସାଙ୍ଗମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରିଥିଲେ।

ଗୁରୁତର ଆହତ ରାକେଶଙ୍କୁ ତୁରନ୍ତ ଭଞ୍ଜନଗର ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାକେଶ ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀର ଏକ ସାଇଟ୍‌ରେ ମେକାନିକ୍‌ ଭାବେ କାମ କରୁଥିଲେ। ଗଣେଶ ପୂଜା ଛୁଟିରେ ସେ ଗାଁକୁ ଆସିଥିଲେ। ପରେ ଆଉ କିଛିଦିନ ଛୁଟି ବଢ଼ାଇଥିଲେ। ଆଉ ଦୁଇଦିନ ପରେ ତାଙ୍କୁ ଚେନ୍ନାଇ ଫେରିବାକୁ ଥିଲା। କିନ୍ତୁ ତା’ ପୂର୍ବରୁ ଘଟିଗଲା ଅଘଟଣ। କଣ୍ଟାପଡ଼ା ଯାତ୍ରା ଦେଖିବାର ଖୁସି ତାଙ୍କ ପାଇଁ ଶେଷ ଯାତ୍ରାରେ ପରିଣତ ହୋଇଗଲା।

ରାକେଶଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଭଞ୍ଜନଗର ହସ୍ପିଟାଲରେ ପରିବାରବର୍ଗ, ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଭିଡ଼ ଜମିଥିଲା। ସୋରଡ଼ା ପୋଲିସ ପହଞ୍ଚିବା ପରେ ଭଞ୍ଜନଗର ହସ୍ପିଟାଲରେ ରାକେଶଙ୍କ ଶବ ବ୍ୟବଚ୍ଛେଦ କରାଯିବ। ପରିବାରବର୍ଗ ରବିବାର ପୋଲିସର ଆଗମନକୁ ଅପେକ୍ଷା କରିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।