କଳପଡ଼ା ପୂଜା ବିବାଦର ହେଲା ଅନ୍ତ: ଏକତ୍ରିତ ଗଜଲକ୍ଷ୍ମୀ ପୂଜା କରିବା ପାଇଁ ସହମତି
କଟକ ସଦର, ୨୪।୧୦ (ସୁଶାନ୍ତ କୁମାର ଜେନା): ୪୨ମୌଜା ଥାନା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଆୟୋଜନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଶନିବାର ଥାନାରେ ସଫଳତାର ସହ ହୋଇଯାଇଛି। ଥାନା ଅଧିକାରୀ ହେମନ୍ତ କୁମାର ସେଠୀଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଆଲୋଚନା କରି ଗୋଟିଏ ସ୍ଥାନରେ ମିଳିତ ଭାବେ ପୂଜା ଆୟୋଜନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଯେ, ଚଳିତ ବର୍ଷ ଗୋଟିଏ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ ଏବଂ ଅନ୍ୟ ଦୁଇଟି ସ୍ଥାନରେ ପୂଜା କରାଯିବ ନାହିଁ। ଚଳିତ ବର୍ଷର ପୂଜା ପରିଚାଳନା ଦାୟିତ୍ୱ ସଭାପତି ପ୍ରତାପ କୁମାର ପତି ଓ ସମ୍ପାଦକ ଅଜୟ କୁମାର ପତି ନିର୍ବାହ କରିବେ।
ସୂଚନାଯୋଗ୍ୟ ଯେ, ଗ୍ରାମରେ ନୂଆ ସ୍ଥାନରେ ପୂଜା ଆୟୋଜନ କରିବା ପାଇଁ ଦେବୀ ପ୍ରସାଦ ପତିଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ଗୁରୁବାର ରାତିରୁ ଅନଶନରେ ବସିଥିଲେ। ଅନ୍ୟ ଗୋଷ୍ଠୀ ନୂଆ ସ୍ଥାନରେ ପୂଜା ପାଇଁ ଅନୁମତି ନଦେବାକୁ ଥାନାରେ ଏତଲା ଦେଇଥିବାରୁ ଏହାକୁ ପ୍ରତିବାଦ କରି ଏହି ଅନଶନ କରାଯାଇଥିଲା। ଏହି ଏତଲା ଆଧାରରେ ପୋଲିସ ନୂଆ ଗୋଷ୍ଠୀକୁ ପୂଜା ପାଇଁ ଅନୁମତି ଦେଇନଥିଲା। ତେବେ ଶନିବାର ଥାନା ଅଧିକାରୀଙ୍କ ମଧ୍ୟସ୍ଥତାରେ ଆପୋଷ ଆଲୋଚନା ହେବା ପରେ ବିବାଦର ଅନ୍ତ ଘଟିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।