କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଉପରେ ପଡ଼ିଛି ବିରାଟ ପଥର, ଏଣେ ଡରାଇଲାଣି ବର୍ଷା
ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁ ଶହଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବର୍ଷବର୍ଷର ପରିଶ୍ରମ ଓ ରୋଜଗାରରେ ଗଢ଼ିଥିବା ସମ୍ପତ୍ତି ବନ୍ୟାଜଳରେ ଭାସିଯାଇଛି। ଏଭଳି ସ୍ଥିତିରେ ଲୋକେ କିପରି ଜୀବନ ଜୀବିକା ନିର୍ବାହ କରିବେ, ସେନେଇ ଚିନ୍ତାରେ ଥିବାବେଳେ ଆସନ୍ତା ସୋମବାର ଓ ମଙ୍ଗଳବାର ଜିଲାରେ ପୁଣି ବର୍ଷା ହେବାର ଆଶଙ୍କା ରହିଛି।
ଏଭଳି ପରିସ୍ଥିତିରେ ଶନିବାର ଅପରାହ୍ନରେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି। ଫଳରେ ପାହାଡ଼ରୁ ବଡ଼ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଛି। ଘଟଣାସ୍ଥଳରେ ନିୟୋଜିତ ଠିକାଦାର ସଂସ୍ଥାର କର୍ମଚାରୀମାନେ ପଥରଗୁଡ଼ିକୁ ହଟାଇବା କାର୍ଯ୍ୟରେ ଲାଗିଛନ୍ତି।
ଅନ୍ୟପକ୍ଷରେ ସମ୍ଭାବ୍ୟ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରବିବାର ମଧ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶରେ ଅବହେଳା କିମ୍ବା ଖିଲାପ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳଙ୍କ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ, କର୍ମଚାରୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।