କେଭାଡ଼ିଆ ଗଲେ କୋରାପୁଟର ୫୦ ପ୍ରତିନିଧି

Oct 27, 2026 - 18:59
କେଭାଡ଼ିଆ ଗଲେ କୋରାପୁଟର ୫୦ ପ୍ରତିନିଧି

କୋରାପୁଟ,୨୭।୧୦(ଅମିତାଭ ବେହେରା): ଗୁଜରାଟର କେଭାଡିଆଠାରେ ଆସନ୍ତା ୩୦ ଓ ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋରାପୁଟ ଜିଲାର ୫୦ଜଣିଆ ପ୍ରତିନିଧି ଦଳ ସୋମବାର ଯାତ୍ରା ଆରମ୍ଭ କରିଛନ୍ତି। ଜିଲାପାଳ ମନୋଜ ସତ୍ୟୱାନ ମହାଜନ ଓ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶର ଏକତା, ଅଖଣ୍ଡତା ଓ ଜାତୀୟ ସଂହତିର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ କୋରାପୁଟ ଜିଲାର ପ୍ରତିନିଧି ଦଳ ଅଂଶ ଗ୍ରହଣ କରିବେ।

ଯାତ୍ରାର ଶୁଭାରମ୍ଭ ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିଷେକ ପାଣିଗ୍ରାହୀ, ସେମିଳିଗୁଡ଼ାର ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କ ସମେତ ପୋଲିସ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ, ପ୍ରତିନିଧି ଦଳ କୋରାପୁଟରୁ ଯାତ୍ରା ଆରମ୍ଭ କରି ରାୟଗଡ଼ା ରେଳ ଷ୍ଟେସନରୁ ଟ୍ରେନ ଯୋଗେ ଗୁଜରାଟ ଅଭିମୁଖେ ଯିବେ। ଯାତ୍ରାକୁ ସୁବ୍ୟବସ୍ଥିତ କରିବା ଓ ପ୍ରତିନିଧି ଦଳକୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଦୁଇଜଣ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। କୋରାପୁଟ ଜିଲାର ପ୍ରତିନିଧି ଦଳର ଅଂଶଗ୍ରହଣ ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ଭାବନାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।