୩୩ ବର୍ଷରେ ମନୋହରପୁର ଗଜଲକ୍ଷ୍ମୀ ପୂଜା: କଳସ ଶୋଭାଯାତ୍ରାରେ ପ୍ରକମ୍ପିତ ଅଞ୍ଚଳ, ୩୧ରେ ଭସାଣି

Oct 27, 2026 - 20:03
୩୩ ବର୍ଷରେ ମନୋହରପୁର ଗଜଲକ୍ଷ୍ମୀ ପୂଜା: କଳସ ଶୋଭାଯାତ୍ରାରେ ପ୍ରକମ୍ପିତ ଅଞ୍ଚଳ, ୩୧ରେ ଭସାଣି

ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ମନୋହରପୁରଠାରେ ଅନୁଷ୍ଠିତ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ କରିଛି। ଏହି ପବିତ୍ର ଅବସରରେ ରବିବାର ଏକ ବିଶାଳ ଓ ଆଧ୍ୟାତ୍ମିକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପୂଜା କମିଟିର ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସ୍ଥାନୀୟ ମହାରାଣୀ ସାଗରକୁ ଯାଇ ନିଷ୍ଠାର ସହ କଳସରେ ପବିତ୍ର ଜଳ ଆଣି ପୂଜା ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସିଥିଲେ। କଳସ ସ୍ଥାପନ ପରେ ମଣ୍ଡପରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

ଏହି ପୂଜା ମହୋତ୍ସବ ମୋଟ ୭ ଦିନ ଧରି ବହୁ ଧୁମଧାମରେ ପାଳନ କରାଯିବ। ଚଳିତ ବର୍ଷ ମଣ୍ଡପରେ ଆକର୍ଷଣୀୟ ତୋରଣ ଓ ମେଢ଼ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରେ ୧୦୮ ଆଳତି ଅନୁଷ୍ଠିତ ହେବ, ଯାହା ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ।

ଇନ୍ଦିରାନଗରର ପୂଜକ ନରେନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ପରିଚାଳନା କରୁଥିବା ବେଳେ କର୍ତ୍ତା ଭାବେ ପ୍ରକାଶ ଚନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି।

ପୂଜାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପୂଜା କମିଟି ସଦସ୍ୟ ରଞ୍ଜନ ବାରିକ, ରାଜେଶ ବସ୍ତିଆ, ମୁନୁ ମିଶ୍ର, ସୋମ ମିଶ୍ର, ସୋନୁ ବାରିକ, ସୋହାନ ବାରିକ, ଟୁନା ସାହୁ, ପଞ୍ଚା ସାହୁ, ନରେନ୍ଦ୍ର ପୁଟେଲ, ରିତୁ ନାଗ, ଭଗବାନ ବାଗ, ବିଷ୍ଣୁ ନାଗ, ମୋହନ ସାହୁ, ହରିଦତ୍ତ ନାଗ, ଦଶ ବସ୍ତିଆ, ବିଶ୍ୱ କଠାର, ସୁଧୀର ବାଗ, ସତ୍ୟ ବାରିକ୍ ଓ କିଶୋର ବଗର୍ତ୍ତି ପ୍ରମୁଖ ସମ୍ପୂର୍ଣ୍ଣ ପଢ଼ାବାସୀ ନେତୃତ୍ୱ ନେଉଛନ୍ତି।

ଆସନ୍ତା ୩୧ ତାରିଖ ଶନିବାର ସନ୍ଧ୍ୟାରେ ଆକର୍ଷଣୀୟ ଭସାଣି ଶୋଭାଯାତ୍ରା କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।