କୋଟିଆରେ ଉପଜିଲାପାଳଙ୍କ ରାତ୍ରି ଯାପନ; ଲୋକଙ୍କ ଅଭିଯୋଗ ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚାନକ ତଦନ୍ତ,ମନ ଜିଣିଲେ…

Oct 22, 2026 - 21:43
କୋଟିଆରେ ଉପଜିଲାପାଳଙ୍କ ରାତ୍ରି ଯାପନ; ଲୋକଙ୍କ ଅଭିଯୋଗ ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଚାନକ ତଦନ୍ତ,ମନ ଜିଣିଲେ…

ପଟ୍ଟାଙ୍ଗି,୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ସୀମାନ୍ତ କୋଟିଆ ପଞ୍ଚାୟତରେ ପ୍ରଶାସନିକ ସକ୍ରିୟତା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶର ଆଗାମୀ ନିର୍ବାଚନ ପୂର୍ବରୁ କୋଟିଆ ପଞ୍ଚାୟତର ନୋଡାଲ ଅଧିକାରୀ ତଥା ଉପଜିଲାପାଳ ଫାବି ରସିଦ୍ କୋଟିଆ ଗସ୍ତ କରି ରାତ୍ରି ଯାପନ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।

ଉପଜିଲାପାଳ ଫାବି ରସିଦ୍ ରାତ୍ରି ଯାପନ ସମୟରେ ସନ୍ଧ୍ୟା ଏବଂ ଭୋର ସକାଳୁ ଗ୍ରାମର ଦାଣ୍ଡ ଓ ସଦର ମଣ୍ଡପରେ ବସିଥିବା ମହିଳା ଓ ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ସରକାରୀ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ଗ୍ରାମବାସୀମାନେ ନିଜ ନିଜର ଆଧାର କାର୍ଡରେ ତ୍ରୁଟି ଯୋଗୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ। ଏହାସହ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିବା ଏବଂ ଅଯଥା ହାତଖର୍ଚ୍ଚ ଦେବାକୁ ପଡ଼ୁଥିବା ନେଇ ଗମ୍ଭୀର ଅଭିଯୋଗ ଆଣିଥିଲେ।

ଲୋକଙ୍କ ଏହି ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ଉପଜିଲାପାଳ ସନ୍ଧ୍ୟା ସମୟରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚାନକ ପହଞ୍ଚି ତଦନ୍ତ କରିଥିଲେ। ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାନ୍ତୁନ୍ ରାଉତଙ୍କ ସହ ଆଲୋଚନା କରି ଏପରି ଅନିୟମିତତାକୁ ନେଇ କଡ଼ା ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଲୋଚନା ସମୟରେ ଡାକ୍ତର ରାଉତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଥିବା ଶବବାହକ ଗାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମିଗତ ସମସ୍ୟା ସମ୍ପର୍କରେ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୀମାନ୍ତରେ ଆନ୍ଧ୍ରର ନିର୍ବାଚନୀ ପ୍ରସଙ୍ଗରେ ପଚରାଯିବାରୁ, ଆନ୍ଧ୍ର ପ୍ରଦେଶ କୌଣସି ଏକତରଫା ନିଷ୍ପତ୍ତି ନେଲେ ଓଡ଼ିଶା ପ୍ରଶାସନ ମଧ୍ୟ ତାହାକୁ ଦୃଷ୍ଟିରେ ରଖି ଉଚିତ୍ ପଦକ୍ଷେପ ନେବ ବୋଲି ଉପଜିଲାପାଳ ସ୍ପଷ୍ଟ କରିଥିଲେ।

ଏହି ଗସ୍ତ ସମୟରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ଅତିରିକ୍ତ ତହସିଲଦାର ସ୍ୱାଗତିକା ରାଉତ, ସୁପରଭାଇଜର ଗୁପ୍ତ ଶଙ୍କର ତ୍ରିପାଠୀ, କୋରାପୁଟ ଏସଡିପିଓ ସଞ୍ଜୟ ମଣ୍ଡଳ, ସିଡିପିଓ ମିନତୀ ବାଳା ପଟ୍ଟନାୟକ, ଜିଡିଓ ସ୍ୱାଗତିକା ଗୋପାଳ, ଏପିଓ ସୌମେନ୍ଦ୍ର ନାୟକ, ପିଇଓ ବଳଭଦ୍ର ପାଢ଼ୀ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଜଣେ ମହିଳା ପ୍ରଶାସନିକ ଅଧିକାରୀ ନିଜେ ଗ୍ରାମରେ ରାତ୍ରି ଯାପନ କରି ଲୋକଙ୍କ ସୁଖଦୁଃଖ ବୁଝିବା ଦୃଶ୍ୟ କୋଟିଆବାସୀଙ୍କ ମନରେ ଆଶା ଓ ପ୍ରଶଂସା ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।