କୋଟିଆ ବିବାଦ, ଓଡିଶା ପୋଲିସ୍ ପୋଷ୍ଟ୍ ସ୍ଥାପନର ୨୪ ଘଣ୍ଟା ନପୁରୁଣୁ ଆନ୍ଧ୍ରର ଫୋର୍ସ ମୁତୟନ
ପଟ୍ଟାଙ୍ଗି,୨୬।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ଓଡିଶା ପକ୍ଷରୁ କେତେବେଳେ ପ୍ରଶାସନିକ ଅଧିକାରୀଙ୍କ ଗସ୍ତ ଠାରୁ ଆରମ୍ଭ କରି ପୋଲିସ୍ ପୋଷ୍ଟ୍ ସ୍ଥାପନ କରାଯାଉଥିବା ବେଳେ ଏହାକୁ ଦେଖି ଆନ୍ଧ୍ର ରାଜ୍ୟ ସରକାରଙ୍କ ଅଧିକାରୀମାନେ ମଧ୍ୟ ପଛକୁ ହଟୁନାହାନ୍ତି । ଓଲଟା ଅନୁପ୍ରବେଶ କରି ସ୍ଥିତି ଅନୁଧ୍ୟାନ କରି ପୋଲିସ୍ ମୁତୟନ କରିବାକୁ ପଛାଉ ନାହିଁ । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି ଉକ୍ତ ପଞ୍ଚାୟତ ର ନେରିଡିବାଲସା , ଉପରସେମ୍ବି , କୋଟିଆ ପ୍ରମୁଖ ସ୍ଥାନରେ ।
ସୂଚନା ଅନୁଯାଇ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍ ମାନ୍ୟାମ୍ ଜିଲା ଆରକ୍ଷୀ ଅଧିକ୍ଷକ ମାଧବ ରେଡିଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ଶେସାୟା ନିଜ ସହ ପୋଲିସ୍ ଫୋର୍ସ ନେଇ ନେରିଡିବାଲସା ଗ୍ରାମରେ ପହଞ୍ଚିଥିଲେ । ନିଜ ରାଜ୍ୟର ରହିଥିବା ଆଇଟିତିଏ ଗୃହରେ ହେବାକୁ ଥିବା ୧୦ଟି ଓ୍ବାର୍ଡରୁ ବୁଥ୍ ବ୍ୟବସ୍ଥା ଅନୁଧ୍ୟାନ କରି ତଳସମ୍ବି ଗ୍ରାମରେ ପହଞ୍ଚି ଏକ ପୋଲିସ୍ ପୋଷ୍ଟ୍ ସ୍ଥାପନ କରିଥିଲେ । ଏହା ପରେ ଉକ୍ତ ସ୍ଥାନରୁ ବାହାରି ଉପରସେମ୍ବି ଗ୍ରାମରେ ପହଞ୍ଚି ପୂର୍ବରୁ ମୁତୟନ ହୋଇ ରହିଥିବା ପୋଲିସ୍ କର୍ମଚାରୀଙ୍କ ସହ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ସେଠାରୁ ବାହାରି ଫଗୁଣସିନେରୀ , ଫାଟୁସିନେରୀ ଗ୍ରାମ ଅଭିମୁଖେ ବାହାରି ସେଠାକାର ସ୍ଥିତି ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି ।
ସେପଟେ ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ତିନୋଟି ସ୍ଥାନରେ ପୋଲିସ୍ ପୋଷ୍ଟ୍ ସ୍ଥାପନ କରିବାର ୨୪ ଘଣ୍ଟା ନ ପୁରୁଣୁ ଆନ୍ଧ୍ର ପୋଲିସ୍ ପୋଷ୍ଟ୍ ସହ ଫୋର୍ସ ମୁତୟନ କରିବା ଦୃଶ୍ୟ ବର୍ତ୍ତମାନ ଏକ ପ୍ରକାର ବିବାଦ ଘନାଇବା ଆଡକୁ ଯାଉଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଆନ୍ଧ୍ର ରାଜ୍ୟର ପୋଲିସ୍ ଡିଏସପି ଉପରୋକ୍ତ ଗ୍ରାମ ପରିଦର୍ଶନ କରିବା ସହ କେଉଁ ଗ୍ରାମ ଠାରୁ କେଉଁ ଗାଁ କେତେ ଦୂର ପଡୁଛି ଏହାର ଏକ ତାଲିକା ପ୍ରସ୍ତୁତ କରିଥିଲେ । ଯଥା ସାଲୁର୍ ଠାରୁ ନେରିଡିବାଲସା ୨୫ କି ମି ପଡୁଥିବା ବେଳେ ନେରିଡିବାଲସା ଠାରୁ ଧୂଳଗପଦର ୦୩ କି ମି ସେହିପରି ଧୂଳଗପଦର ଠାରୁ ତଳସମ୍ବି ୨୦୦ ମିଟର ହେଉଥିବା ବେଳେ ତଳସମ୍ବି ଠାରୁ କୋଟିଆ ୦୩ କି ମି , କୋଟିଆ ଠାରୁ ତଳ ଗଞ୍ଜେଇ ପଦର ୦୧ କି ମି, ତଳ ଗଞ୍ଜେଇ ପଦର ଠାରୁ ଉପର ଗଞ୍ଜେଇ ପଦର ୦୨ କି ମି, କୋଟିଆରୁ ତଳ କୋଟିଆ ୫୦୦ ମିଟର , ଫଗୁଣସିନେରୀରୁ ଫାଟୁସିନେରୀ ୦୩ କି ମି ଏବଂ ଉପରସେମ୍ବିରୁ ତଳସମ୍ବି ୦୩ କି ମି ଏହିପରି ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରସ୍ତୁତ କରି ଫେରିଥିବା ଜଣାପଡ଼ିଛି ।
ସେପଟେ କିନ୍ତୁ ପଞ୍ଚାୟତ ସୀମାନ୍ତ ଗ୍ରାମବାସୀ ଆନ୍ଧ୍ରକୁ ଭୋଟ୍ ଦେବାରେ ପଛ ଘୁଞ୍ଚା ଦେବୁ ନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି । ଆନ୍ଧ୍ରର ଡିଏସପିଙ୍କ ଗସ୍ତ ସମୟରେ କୋଟିଆ ସି ଆଇ (ଆଇଆଇସି) ଦାଶରଥି, ସାଲୁର୍ ରୁରାଲ୍ ସି ଆଇ (ଆଇଆଇସି) ପି ରାମ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।