କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

Oct 04, 2026 - 22:59
କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କୋରାପୁଟର ପ୍ରାଥମିକ ଶିକ୍ଷକ ଶ୍ରୀ ଦାଶ ମସ୍କୋସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଚୟନ ହୋଇଛନ୍ତି । ୨୦୨୬-୨୭ରୁ ୨୦୨୮-୨୯ ଶିକ୍ଷାବର୍ଷ ପର୍ଯ୍ୟନ୍ତ ସେ ସେଠାରେ ଦାୟିତ୍ୱ ତୁଲାଇବେ।
କୋରାପୁଟରେ ଶିକ୍ଷାଦାନ କରି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସୃଜନଶୀଳତା, ଭାଷା ଦକ୍ଷତା ଓ ନୂତନ ଚିନ୍ତାଧାରା ବିକାଶରେ ତାଙ୍କ ଅବଦାନ ପାଇଁ ୨୦୨୫ ମସିହାର ଜାତୀୟ ଶିକ୍ଷକ ପୁରସ୍କାର ମିଳିଥିଲା। ଶିକ୍ଷକ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଅଭିନବ ଶିକ୍ଷାଦାନ ପଦ୍ଧତି ଓ ଭାଷା ଶିକ୍ଷାରେ ଅବଦାନ ତାଙ୍କ ସମ୍ମାନର ମୁଖ୍ୟ ଆଧାର ଥିଲା।
ସୃଜନଶୀଳ ଶିକ୍ଷାଦାନରେ ସ୍ୱତନ୍ତ୍ର ପରିଚୟ ପାଠପଢ଼ାକୁ ଆନନ୍ଦମୟ କରିବା ପାଇଁ ଶ୍ରୀ ଦାଶ ‘କଥାଚିତ୍ର’, ‘ମୋ ପଢ଼ା ବହି ଓ ମୋ ଚିତ୍ର ମୋ କାହାଣୀ’, ‘ନ୍ୟୁଜ୍‌ ନେଷ୍ଟ୍‌’ ଓ ‘ମୁଁ ବି ବକ୍ତା’ ଭଳି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଥିଲେ।

ଏହା ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ପଠନ, ଲେଖନ, କଥନ ଓ ଯୋଗାଯୋଗ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। କଥାଚିତ୍ର’ ପ୍ରକଳ୍ପରେ ପିଲାମାନେ କାହାଣୀ ଲେଖିବାଠାରୁ ଆରମ୍ଭ କରି ଅଭିନୟ ଓ ଚଳଚ୍ଚିତ୍ର ନିର୍ମାଣ ପର୍ଯ୍ୟନ୍ତ ସାମିଲ ହୋଇଥିଲେ। ଏଥିସହ ‘ମିଲେଟ୍‌ କ୍ରାନ୍ତି’ ମାଧ୍ୟମରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍‌ର ପୋଷଣଗୁଣ ଏବଂ ସ୍ଥାନୀୟ ଖାଦ୍ୟ ସଂସ୍କୃତି ସମ୍ପର୍କରେ ପିଲାମାନଙ୍କୁ ସଚେତନ କରାଯାଇଥିଲା।
୨୦୨୫ର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଦେଶରୁ ଚୟନ ହୋଇଥିବା ୪୫ ଜଣ ଶିକ୍ଷକଙ୍କ ମଧ୍ୟରେ ଓଡ଼ିଶାରୁ ତରୁଣ କୁମାର ଦାଶ ଓ ମାଲକାନଗିରିର ବସନ୍ତ କୁମାର ରଣା ସ୍ଥାନ ପାଇଥିଲେ।ଜାତୀୟ ସମ୍ମାନ ପରେ ମସ୍କୋରେ ଶିକ୍ଷାଦାନ ପାଇଁ ଚୟନ ହେବା ତରୁଣ ଦାଶଙ୍କ ଶିକ୍ଷକ ଜୀବନର ଆଉ ଏକ ଉଲ୍ଲେଖନୀୟ ସଫଳତା। କୋରାପୁଟରେ ଅଭିନବ ଶିକ୍ଷାଦାନରୁ ଜାତୀୟ ସମ୍ମାନ ଏବଂ ସେଠାରୁ ମସ୍କୋ ଯାତ୍ରା ତାଙ୍କ ସଫଳତାର ଏକ ନୂଆ ଦିଗ ଖୋଲିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।