ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….
ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ ରମେଶଙ୍କ ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଛି। ଜୟରାମ ରମେଶ ଭିଡିଓଟିକୁ ଶେୟାର କରି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦାବି କରିଥିବା ବେଳେ ଚନ୍ଦ୍ରବାବୁ ନାଇଡୁ ଏହାକୁ ଖଣ୍ଡନ କରିଛନ୍ତି।
ନାଇଡୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଜୟରାମ ରମେଶ ଘଟଣାକୁ ଭୁଲ୍ ଭାବେ ବୁଝିଛନ୍ତି। ତାଙ୍କ କହିବାନୁସାରେ, କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ଉତ୍ସାହକୁ ଅସନ୍ତୋଷ ବୋଲି ଦର୍ଶାଯାଉଛି । ଲୋକଙ୍କ ପ୍ରତିକ୍ରିୟା ଉତ୍ସାହପୂର୍ଣ୍ଣ ଥିଲା ବୋଲି ନାଇଡୁ କହିଛନ୍ତି। କହିରଖୁଛୁ କି, ଅକ୍ଟୋବର ୨ରେ ଆନ୍ଧ୍ରପ୍ରଦେଶର ମଦନପଲ୍ଲେରେ ‘ଗ୍ଲୋବାଲ୍ ହର୍ଟିକଲଚର ହବ୍’ ଓ ‘ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଏଗ୍ରିକଲଚର’ର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ନିର୍ମଳା ସୀତାରମଣ, ଚନ୍ଦ୍ରବାବୁ ନାଇଡୁ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଓ ଅନନ୍ତ ଅମ୍ବାନୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ନିର୍ମଳା ସୀତାରମଣ ଭାଷଣ ଦେବା ସମୟରେ କିଛି ଲୋକଙ୍କ ନାରାବାଜି ଓ ହୋହଲ୍ଲା ଯୋଗୁଁ ତାଙ୍କ ଭାଷଣରେ ବାଧା ସୃଷ୍ଟି ହୋଇଥିବା ରିପୋର୍ଟ ହୋଇଛି। ଏହାପରେ ଚନ୍ଦ୍ରବାବୁ ନାଇଡୁ ମାଇକ୍ ଧରି ଲୋକଙ୍କୁ ଶାନ୍ତ ରହିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ କହିଥିଲେ। ନାଇଡୁ କହିଛନ୍ତି, ମଞ୍ଚ ସମ୍ମୁଖରେ ଲୋକଙ୍କ ଅତ୍ୟଧିକ ଉତ୍ସାହ ଦେଖି ସେ କିଛି ସମୟ ପାଇଁ ମାଇକ୍ ଧରିଥିଲେ, ଯାହାଦ୍ୱାରା କାର୍ଯ୍ୟକ୍ରମ ସୁଚାରୁ ଭାବେ ଚାଲିପାରିବ।
ତାଙ୍କ ମତରେ, ଲୋକଙ୍କ ଉତ୍ସାହକୁ ଅସନ୍ତୋଷ ଭାବେ ବ୍ୟାଖ୍ୟା କରିବା ଆନ୍ଧ୍ରପ୍ରଦେଶ ଓ ଦେଶର ଲୋକଙ୍କ ଭାବନାଠାରୁ ଦୂରତାକୁ ଦର୍ଶାଏ। ରାଜନୈତିକ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ହେଉଥିବା ଆଲୋଚନା ବାସ୍ତବ ଘଟଣାକୁ ବଦଳାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ, କିଛି ରିପୋର୍ଟରେ କାର୍ଯ୍ୟକ୍ରମ ସମୟରେ ନାରାବାଜି ଓ ହୋହଲ୍ଲା ହୋଇଥିବା ଏବଂ ଏହା ଯୋଗୁଁ ନିର୍ମଳା ସୀତାରମଣଙ୍କ ଭାଷଣ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିବା କୁହାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।