ଖାଇବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା
କେନ୍ଦୁଝର,୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା କୁଶକଳା କାଳିଆଡ଼ିହି ସାହିରେ ଖାଇବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା ହୋଇଛି। ହତ୍ୟା ପରେ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ମଙ୍ଗଳବାର ସାରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଶନିବାର ପୋଲିସ ମୃତଦେହ ଜବତ କରିଥିଲା। ମୃତ ହେଲେ ଗ୍ରାମର ମେଞ୍ଜତି ମୁଣ୍ଡା (୪୫)। ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀ ଗଲୁ ମୁଣ୍ଡା(୪୭)ଙ୍କୁ ଗିରଫ କରି ରବିବାର କୋଟ ଚାର୍ଲଣ କରିଛି।
ପୋଲିସ ସୂଚନା ମୁତାବକ, ଗଲୁ ମଙ୍ଗଳବାର କାମରୁ ସାରେ ଘରକୁ ଫେରିଥିଲେ। ସ୍ତ୍ରୀଙ୍କୁ ଖାଇବାକୁ ମାଗିଥିବା ବେଳେ ଖାଇବାକୁ ଦେବାରେ ବିଳମ୍ବ କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଗଲୁ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ରାଗରେ ମେଞ୍ଜତି ରାତିରେ ବାପ ଘରକୁ ପଳାଇ ଯିବାକୁ ବାହାରିଥିଲେ। ତେବେ ଗଲୁ ତାଙ୍କ ପଛେ ପଛେ ଯାଇଥିଲେ। ଗାଁ ନିକଟସ୍ଥ ଜଙ୍ଗଲ ନିକଟରେ ପୁଣି ବଚସା ହୋଇଥିଲା।
ସେଠାରେ ମେଞ୍ଜତିଙ୍କୁ ମାଡ଼ ମାରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇ ପଳାଇଆସିଥିଲେ। ୪ ଦିନ ପରେ ଶନିବାର ତାଙ୍କ ପୁଅ ଘଟଣା ବିଷୟରେ ଜାଣିବା ପରେ ନୟାକୋଟ ପୋଲିସକୁ ଜଣାଇଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଆଲୋକ ରଞ୍ଜନ ପରିଡ଼ା ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।