ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗି ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଲେ ଇଶାନ କିଷନ

Nov 01, 2026 - 20:36
ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗି ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଲେ ଇଶାନ କିଷନ

ନୂଆଦିଲ୍ଲୀ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଶସ୍ତାରେ ଆଉଟ୍ ହେବା ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଇଶାନ କିଷନ ଦଳର ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ପଡ଼ିଆରେ ଚୌକା-ଛକାର ବର୍ଷା କରି ସେ ନିଜ ଟି-୨୦ କ୍ୟାରିୟରର ୧୪ଶ ଅର୍ଦ୍ଧଶତକ ହାସଲ କରିବା ସହ ଅନେକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି। ମାତ୍ର ୨୮ ବଲ୍‌ରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ଇଶାନ ୩୨ ବଲ୍‌ରୁ ୫ଟି ଚୌକା ଓ ୫ଟି ଛକା ସହାୟତାରେ ୬୧ ରନ୍‌ର ଏକ ଧୂଆଁଧାର ପାଳି ଖେଳିଥିଲେ। ଅଧିନାୟକ ଶ୍ରେୟସ ଆୟରଙ୍କ ସହ ମିଶି ସେ ତୃତୀୟ ୱିକେଟ୍ ପାଇଁ ଶକ୍ତ ଭାଗୀଦାରି ଗଢ଼ିଥିଲେ।

ଏହି ପାଳି ବଳରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପାଇଁ ସର୍ବାଧିକ ରନ୍ କରିବା ମାମଲାରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଭାଙ୍ଗିଛନ୍ତି। ସୂର୍ଯ୍ୟକୁମାର ୨୦୨୨ ମସିହାରେ ୧୧୬୪ ରନ୍ କରିଥିଲେ। ଇଶାନ ନିଜର ୩୭ତମ ପାଳିରେ ୧୨୦୦ ରନ୍ ଅତିକ୍ରମ କରି ଏପରି କୀର୍ତ୍ତିମାନ ସ୍ଥାପନ କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ପାଳି ସହ ଇଶାନ ଟି-20 ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୨୦୦୦ ରନ୍‌ର ମାଇଲଖୁଣ୍ଟ ମଧ୍ୟ ଛୁଇଁଛନ୍ତି। ୬୯ଟି ମ୍ୟାଚ୍‌ର ୬୯ଟି ପାଳିରେ ତାଙ୍କର ମୋଟ ରନ୍ ଏବେ ୨୦୧୬ରେ ପହଞ୍ଚିଛି, ଯେଉଁଥିରେ ୧୪ଟି ଅର୍ଦ୍ଧଶତକ ଏବଂ ୧ଟି ଶତକ ସାମିଲ ଅଛି। ବିଶେଷ କଥା ହେଉଛି, ତାଙ୍କର ୧୪ଟି ଅର୍ଦ୍ଧଶତକ ମଧ୍ୟରୁ ୮ଟି କେବଳ ଚଳିତ ବର୍ଷ ଆସିଛି।

ସାମ୍ନାକୁ ଆସିଥିବା ବଲ୍ ହିସାବରେ ଇଶାନ ଭାରତର ତୃତୀୟ ସବୁଠାରୁ ଦ୍ରୁତ ୨୦୦୦ ରନ୍ ସଂଗ୍ରହକାରୀ ଖେଳାଳି ହୋଇଛନ୍ତି, ଯେଉଁଥିରେ ଅଭିଷେକ ଶର୍ମା (୧୦୨୪ ବଲ୍) ଏବଂ ସୂର୍ଯ୍ୟକୁମାର ଯାଦବ (୧୧୬୪ ବଲ୍)ଙ୍କ ପରେ ଇଶାନ କିଶନ (୧୩୪୫ ବଲ୍) ରହିଛନ୍ତି। ବର୍ଷ ୨୦୨୬ ଇଶାନଙ୍କ ପାଇଁ ଅତ୍ୟନ୍ତ ସଫଳ ରହିଛି। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ୩୧୭ ରନ୍ ସଂଗ୍ରହ କରିଥିଲେ।

ସୂଚନାଯୋଗ୍ୟ, ଭାରତ ପାଇଁ ଟି-୨୦ରେ ସର୍ବାଧିକ ରନ୍ ସଂଗ୍ରହ ମାମଲାରେ ରୋହିତ ଶର୍ମା (୪,୨୩୧ ରନ୍) ପ୍ରଥମ, ବିରାଟ କୋହଲି (୪,୧୮୮ ରନ୍) ଦ୍ୱିତୀୟ ଏବଂ ସୂର୍ଯ୍ୟକୁମାର ଯାଦବ (୩,୨୭୨ ରନ୍) ତୃତୀୟ ସ୍ଥାନରେ ଅଛନ୍ତି। ଏହାସହ ହାର୍ଦ୍ଦିକ ପାଣ୍ଡ୍ୟା, ଅଭିଷେକ ଶର୍ମା ଓ କେ.ଏଲ୍. ରାହୁଲଙ୍କ ପଛକୁ ଇଶାନ ନିଜ ନାମ ସାମିଲ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।