ଖୋଲିଲା ବଡ଼ ଗୁମର, କୋହଲି-ଗମ୍ଭୀରଙ୍କ ଭିତରେ ଏଭଳି କାମ କଲେ ପ୍ରଜ୍ଞାନ ଓଝା, BCCI ଦେଇଥିଲା ଗୁରୁଦାୟିତ୍ୱ!

Oct 20, 2026 - 08:04
ଖୋଲିଲା ବଡ଼ ଗୁମର, କୋହଲି-ଗମ୍ଭୀରଙ୍କ ଭିତରେ ଏଭଳି କାମ କଲେ ପ୍ରଜ୍ଞାନ ଓଝା,  BCCI ଦେଇଥିଲା ଗୁରୁଦାୟିତ୍ୱ!

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ୍‌ରେ ଚୟନ କମିଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଜିତ ଅଗରକରଙ୍କ ପରେ ପ୍ରଜ୍ଞାନ ଓଝାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ଦିଆଯାଇଥିବା ରିପୋର୍ଟରେ ଦାବି କରାଯାଇଛି । ଏହା ସହିତ ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପୱାରଙ୍କୁ ମଧ୍ୟ ଚୟନ କମିଟିରେ ସାମିଲ କରାଯାଇଥିବା କୁହାଯାଇଛି । ତେବେ ଏହି ଖବର ମଧ୍ୟରେ ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଥିବା କଥିତ ମତଭେଦକୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗମ୍ଭୀର-କୋହଲିଙ୍କ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଓଝାଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିଛି ମାସ ପୂର୍ବରୁ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସବୁକିଛି ଠିକ୍‌ ନଥିବା ନେଇ ଖବର ପ୍ରକାଶ ପାଇଥିଲା। ଏକ ରିପୋର୍ଟ ଅନୁସାରେ, ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଓ ସମନ୍ୱୟର ଅଭାବ ଦୂର କରିବା ପାଇଁ BCCI ଅଧିକାରୀମାନେ ପ୍ରଜ୍ଞାନ ଓଝାଙ୍କ ସହାୟତା ନେଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ଓଝାଙ୍କୁ ଉଭୟଙ୍କ ସହ କଥା ହେବାକୁ କୁହାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।

ବିରାଟ କୋହଲିଙ୍କ ସହ ପ୍ରଜ୍ଞାନ ଓଝାଙ୍କ ସମ୍ପର୍କ ଭଲ ଥିବା କୁହାଯାଏ । ଉଭୟ ଭାରତ ପାଇଁ ୨୨ଟି ଟେଷ୍ଟ ମ୍ୟାଚ୍‌ରେ ଏକାଠି ଖେଳିଛନ୍ତି। ଏହି କାରଣରୁ କୋହଲିଙ୍କ ସହ ଆଲୋଚନା କରିବା ପାଇଁ ଓଝା ଉପଯୁକ୍ତ ବ୍ୟକ୍ତି ହୋଇପାରିବେ ବୋଲି BCCI ଅଧିକାରୀମାନେ ଭାବିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ସମୟରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ରିପୋର୍ଟ ଅନୁସାରେ, ଇଂଲଣ୍ଡ ଗସ୍ତ ପରେ ଭାରତୀୟ ଦଳରେ ରୋହିତଙ୍କ ଭୂମିକାକୁ ନେଇ ତାଙ୍କ ସହ ଆଲୋଚନା କରିବାକୁ ଅଗରକର ପ୍ରଜ୍ଞାନ ଓଝାଙ୍କୁ କହିଥିଲେ। ଓଝା ଇଂଲଣ୍ଡ ଗସ୍ତ ସମୟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସହ କଥା ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।

ଦୀର୍ଘ ସମୟ ଧରି ଚୟନକର୍ତ୍ତା ଭାବେ କାମ କରିବା ପରେ ପ୍ରଜ୍ଞାନ ଓଝାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ପଦୋନ୍ନତି ମିଳିଥିବା ଖବର ଆସିଛି। ଅନ୍ୟପଟେ, ପଶ୍ଚିମ ଜୋନ୍‌ରୁ ରମେଶ ପୱାର ଚୟନ କମିଟିରେ ସ୍ଥାନ ପାଇଥିବା କୁହାଯାଉଛି। ଅଜିତ ଅଗରକରଙ୍କ କାର୍ଯ୍ୟକାଳରେ ଭାରତ ଦୁଇଥର ଟି-୨୦ ବିଶ୍ୱକପ୍‌ ଏବଂ ଥରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବାରୁ ତାଙ୍କ କାର୍ଯ୍ୟକାଳକୁ ସଫଳ ବୋଲି ବିବେଚନା କରାଯାଏ। ଏବେ ପ୍ରଜ୍ଞାନ ଓଝାଙ୍କ ଆଗରେ ମଧ୍ୟ ସେହି ସଫଳତାକୁ ବଜାୟ ରଖିବାର ବଡ଼ ଚ୍ୟାଲେଞ୍ଜ ରହିବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।