ଗଞ୍ଜାମରେ ରବିବାର ଛୁଟି ବାତିଲ
ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ବେଳେ ଜରୁରିକାଳୀନ ସ୍ଥିତି ଓ ରିଲିଫ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନଭେମ୍ବର ୧ ରବିବାର ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟର ଆଦେଶ ସଂଖ୍ୟା ୩୨୭୭ ଅନୁଯାୟୀ, ସ୍ପେଶାଲ ରିଲିଫ କମିଶନରଙ୍କ ପକ୍ଷରୁ ଜାରି ପାଣିପାଗ ସୂଚନାରେ ଗଞ୍ଜାମ ପାଇଁ ‘ୟେଲୋ’ ଓ ‘ଅରେଞ୍ଜ’ ୱାର୍ନିଂ ଜାରି ହୋଇଥିବାରୁ ଅଙ୍ଗନଓ୍ବାଡି କେନ୍ଦ୍ର, ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ନଭେମ୍ବର ୩ ପର୍ଯ୍ୟନ୍ତ ବନ୍ଦ ରହିବ।
ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବେ। ସେହିପରି ଆଦେଶ ସଂଖ୍ୟା ୩୨୭୫ ଅନୁଯାୟୀ, ଜିଲାରେ ବନ୍ୟା ପରିସ୍ଥିତି ସହ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଥିବାରୁ ନଭେମ୍ବର ୧ ରବିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଜିଲାସ୍ତରୀୟ, ଉପଖଣ୍ଡ, ବ୍ଲକ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସରେ ଉପସ୍ଥିତ ରହି ଜରୁରିକାଳୀନ ଓ ସହାୟତା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।