ବନ୍ୟାଞ୍ଚଳ ପରିଦର୍ଶନବେଳେ ଖଲ୍ଲିକୋଟ ବିଧାୟକଙ୍କୁ ଆକ୍ରମଣ କଲେ ଲୋକେ, ଭିଡିଓ ଭାଇରାଲ…

Oct 31, 2026 - 17:36

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୟଙ୍କର ବନ୍ୟାରେ ଲୋକଙ୍କ ଘରଦ୍ୱାର ଭାଙ୍ଗି ଜୀବନଜୀବିକା ଉଜୁଡ଼ିଯାଇଛି। ହେଲେ ବନ୍ୟା ବିପନ୍ନ ଲୋକେ ପାଣିଘରରେ ରହି ଦୁର୍ଦ୍ଦଶା ଜୀବନ କାଟୁଛନ୍ତି। ଖାଇବାକୁ ନ ପାଇ ଭୋକିଲା ପେଟରେ ଛଟପଟ ହେବାରେ ଲାଗିଛନ୍ତି। ଏପରି ବିପତ୍ତି ସମୟରେ କୌଣସି ଜନପ୍ରତିନିଧିଙ୍କ ଦେଖା ନ ମିଳିବା ଘଟଣା ଲୋକଙ୍କ ଅସନ୍ତୋଷକୁ ଆହୁରି ତୀବ୍ର କରିଛି।

ଏହି ସମୟରେ ଦୀର୍ଘ ତିନିଦିନ ପରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଭାଜପାର ରାଜ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ପୁରୁଷୋତ୍ତମପୁର ଏନ୍‌ଏସିର କୁମାରୀ ଗ୍ରାମକୁ ଆସିଥିବାବେଳେ ଲୋକେ ଘେରିଯାଇ ଭୋଟ୍‌ ନେଲାବେଳେ ବାରମ୍ବାର ଆସି ବିଭିନ୍ନ ପ୍ରତିଶ୍ରୁତି ଦେଉଛ ମାତ୍ର ଏହି ବିପତ୍ତି ସମୟରେ କୁଆଡ଼େ ଯାଉଛ ବୋଲି କହି ବିଭିନ୍ନ ପ୍ରଶ୍ନ କରିଥିଲେ। ଫଳରେ ଏହାକୁ ନେଇ ଉଭୟ ବିଧାୟକ ଓ ଲୋକଙ୍କ ମଧ୍ୟରେ ବହୁ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଭୋକିଲା ପେଟରେ ଉତ୍ତେଜିତ ହୋଇ ରହିଥିବା ଲୋକେ ବିଧାୟକଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ। ଏହି ସମୟରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ନିରୁପାୟ ହୋଇପଡ଼ିଥିଲେ। ପୋଲିସ କର୍ମଚାରୀମାନେ ବିଧାୟକଙ୍କୁ ଉଦ୍ଧାର କରି ଗାଡ଼ିରେ ବସାଇ ଛାଡ଼ିଥିଲେ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।