ଗଞ୍ଜାମ ବ୍ଲକର ଅନେକ ଗାଁ ଜଳବନ୍ଦୀ, ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ

Oct 30, 2026 - 15:34
ଗଞ୍ଜାମ ବ୍ଲକର ଅନେକ ଗାଁ ଜଳବନ୍ଦୀ, ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ,୩୦ା୧୦(ଅନାଥ ତରାଇ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟାଜଳ ଯୋଗୁ ଗଞ୍ଜାମ ବ୍ଲକ୍‌ର ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି। ୟୁଡ଼ିଏସପୁର, ବରପଲ୍ଲୀ ସମେତ ବ୍ଲକ୍‌ର ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ ଟିମ୍‌ ବୋଟ୍‌ ସାହାଯ୍ୟରେ ପହଞ୍ଚି ଲୋକଙ୍କୁ ଉଦ୍ଧାର ଓ ଆବଶ୍ୟକ ସହାୟତା ଯୋଗାଇବାରେ ନିୟୋଜିତ ହୋଇଛନ୍ତି। ସନ୍ତୋଷପୁରଠାରୁ ଖଣ୍ଡଦେଉଳି ଯାଇଥିବା ରାସ୍ତା ଉପରେ ବନ୍ୟାଜଳ ଜମି ରହିଥିବାରୁ ଏହି ରାସ୍ତା ଦେଇ ଯାତାୟାତ ଠପ୍‌ ହୋଇଯାଇଛି। ଫଳରେ ଆଖପାଖର ଗ୍ରାମଗୁଡ଼ିକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବା ସହ ତ୍ୱରିତ ସହାୟତା ପାଇଁ ପଦକ୍ଷେପ ନେଉଛନ୍ତି। ଜଳବନ୍ଦୀ ଗ୍ରାମଗୁଡ଼ିକରେ ରହୁଥିବା ଲୋକଙ୍କ ଖାଦ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ସେହିପରି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୁରକ୍ଷା ଓ ସହାୟତା କାର୍ଯ୍ୟରେ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର, ରମ୍ଭା ଥାନା ଆଇଆଇସି କୁମାର ମୁଦୁଲି, ହୁମା ଫାଣ୍ଡି ଅଧିକାରୀ ବିନୟ କୁମାର ଦାସଙ୍କ ସମେତ ପୋଲିସ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ ନିୟୋଜିତ ରହିଛନ୍ତି। ଜଳବନ୍ଦୀ ଗାଁଗୁଡ଼ିକରେ ଉଦ୍ଧାର, ରିଲିଫ ଓ ଯୋଗାଯୋଗ ବ୍ୟବସ୍ଥା ସ୍ବାଭାବିକ କରିବା ଏବେ ପ୍ରଶାସନ ପାଇଁ ବଡ଼ ଆହ୍ବାନ ପାଲଟିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।