ତ୍ରିଲୋଚନ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏଶନ କଲା ପୋଲିସ, ଗୋଟି ଗୋଟି କରି ସତ ବଖାଣିଲେ ଅପରାଧୀ

Oct 30, 2026 - 14:08
ତ୍ରିଲୋଚନ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏଶନ କଲା ପୋଲିସ, ଗୋଟି ଗୋଟି କରି ସତ ବଖାଣିଲେ ଅପରାଧୀ

ପାଟଣା,୩୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ତୁଳସୀ ମହାନ୍ତଙ୍କ ସ୍ବାମୀ ତଥା ବ୍ୟବସାୟୀ ତ୍ରିଲୋଚନ ମହାନ୍ତଙ୍କ ହତ୍ୟାକାଣ୍ଡର ଏକ ମାସ ପରେ ପୋଲିସ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ଉଠାଇଛି। ଶୁକ୍ରବାର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ କ୍ରାଇମ ସିନ୍‌ ରିକ୍ରିଏଶନ କରିଛି। କଡ଼ା ସୁରକ୍ଷା ମଧ୍ୟରେ। ପ୍ରଥମେ ଅପରାଧୀଙ୍କୁ ତ୍ରିଲୋଚନଙ୍କ ଜନସେବା କେନ୍ଦ୍ର ନିକଟରେ ଓହ୍ଳାଯାଇଥିବାବେଳେ ପରେ ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ସ୍ଥାନ ନିକଟରେ ଓହ୍ଲାଇ କ୍ରାଇମ ସିନ୍‌ ରିକ୍ରିଏଶନ କରଯାଇଥିଲା।

ଏହି ଘଟଣାରେ ସମ୍ପୃକ୍ତି ଥିବା ୯ ଜଣଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଥିବା କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲ କର ଦାଗୁଡୁ କହିଛାନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଥିବା ସୂଚନା ଦେଇଛନ୍ତି। ସମସ୍ତେ ଯାଜପୁର ଜିଲାର। କ୍ରିମିନାଲମାନଙ୍କୁ ଆରକ୍ଷୀ ଅଧୀକ୍ଷକ କଡ଼ା ଚେତାବନୀ ଦେଇଛନ୍ତି।
ସିନ୍‌ ରିକ୍ରିଏଶନ ସମୟରେ ଏସ୍‌ପି ଦାଗୁଡୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ମହାପାତ୍ର, ସ୍ନେହାଶିଷ ସାହୁ, ଏସ୍‌ଡିପିଓ ଚମ୍ପୁଆ ରଶ୍ମୀରଞ୍ଜନ ସାହୁ, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ, ପାଟଣା ଥାନାଧିକାରୀ କିରଣ ପ୍ରାସାଦ ସାହୁ, ଇନ୍ସପେକ୍ଟର ମାନସ କୁମାର୍‌ ମହକୁଳଙ୍କ ସହ ସଦର ଓ ଓ ଟାଉନ ଥାନାଧିକାରୀଙ୍କ ସହ ଅନେକ ପୋଲିସ ଅଧିକାରୀ ସାମିଲ ହୋଇଥିଲେ।

ସୂଚନା ଥାୁକି, ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ତ୍ରିଲୋଚନ ନିଜ ଜନସେବା କେନ୍ଦ୍ର ବନ୍ଦ କରି ପାଟଣା ଥାନାର କନଷ୍ଟେବଳ ସ୍ତ୍ରୀ ତୁଳସୀଙ୍କ କ୍ୱାର୍ଟରକୁ ସବୁଦିନ ଭଳି ଫେରୁଥିବାବେଳେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପୋଷି-ପାଟଣା ରାସ୍ତାର ଖୁଣ୍ଟାପଡ଼ା ନିକଟ ଜଙ୍ଗଲର ହନୁମାନ ଛକ ନିକଟରେ ଅଟକାଇ ଲୁଟ୍‌ ଉଦ୍ୟମ କରିବା ସମୟରେ ତ୍ରିଲୋଚନଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଗୁଳିମାରି ତାଙ୍କୁ ହତ୍ୟା କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।