ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

Sep 27, 2026 - 18:40
ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି ମଧ୍ୟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ରେ ସାମିଲ ନକରାଯିବାକୁ ନେଇ ମଧ୍ୟ ଚର୍ଚ୍ଚା ଓ ସମାଲୋଚନା ଆରମ୍ଭ ହୋଇଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଫଟୋ ଶେୟାର କରି ଦାବି କରାଯାଇଛି ଯେ, ମ୍ୟାଚ ପୂର୍ବରୁ ସିରାଜଙ୍କର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ବିବାଦ ହୋଇଥିଲା।

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଗୌତମ ଗମ୍ଭୀର, ମହମ୍ମଦ ସିରାଜ, ବୋଲିଂ କୋଚ ମୋର୍କେଲ ଏବଂ ପ୍ରସିଦ୍ଧ କୃଷ୍ଣା ଠିଆ ହୋଇଥିବା ଦେଖାଯାଉଛି। ଏହି ଫଟୋ ସହ ଦାବି କରାଯାଇଛି ଯେ, ମ୍ୟାଚ ପୂର୍ବରୁ ସିରାଜ ଓ ଗମ୍ଭୀରଙ୍କ ମଧ୍ୟରେ ବିବାଦ ହୋଇଥିଲା ଏବଂ ଏହା ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚରେ ପ୍ଲେଇଂ-୧୧ରେ ସିରାଜଙ୍କୁ ସ୍ଥାନ ମିଳିନଥିଲା। ତେବେ ଏହି ଦାବିର ସତ୍ୟତା ପୁଷ୍ଟି ହୋଇନାହିଁ।

ପ୍ରସିଦ୍ଧ କୃଷ୍ଣା ଓ ଗୁରନୂର ବରାରଙ୍କ ସହ ନମନ ଧୀରଙ୍କୁ ଦଳରେ ସାମିଲ କରାଯାଇଛି। ତଥାପି ସିରାଜଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ନମିଳିବା ନେଇ କିଛି ପ୍ରଶ୍ନ ଉଠିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଜସପ୍ରୀତ ବୁମ୍‌ରା ନାହାନ୍ତି। ଏସିଆନ ଗେମ୍ସ ପାଇଁ ସେ ଜାପାନରେ ଅଛନ୍ତି। ଏହା ବ୍ୟତୀତ ହର୍ଷିତ ରାଣା ଓ ଅର୍ଶଦୀପ ସିଂହ ମଧ୍ୟ ଦଳରେ ନାହାନ୍ତି। ଏପରି ସ୍ଥିତିରେ ମହମ୍ମଦ ସିରାଜଙ୍କୁ ଏହି ସିରିଜର ମୁଖ୍ୟ ବୋଲର ଭାବେ ଦେଖାଯାଉଥିଲା। ହେଲେ ପ୍ରଥମ ମ୍ୟାଚରେ ହିଁ ତାଙ୍କୁ ପ୍ଲେଇଂ-୧୧ରୁ ବାଦ ଦିଆଯାଇଛି।

ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, ସିରାଜ ୨୦୨୭ ଦିନିକିଆ ବିଶ୍ୱକପର ଯୋଜନାର ଅଂଶ ନୁହନ୍ତି କି? ଟିମ ମ୍ୟାନେଜମେଣ୍ଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଜଣେ ଅଲରାଉଣ୍ଡରଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଥିବା ଚର୍ଚ୍ଚା ମଧ୍ୟ ରହିଛି। ପ୍ରଥମ ମ୍ୟାଚରେ ନୀତୀଶ କୁମାର ରେଡ୍ଡୀଙ୍କୁ ସୁଯୋଗ ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।