ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

Sep 27, 2026 - 19:01
ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଅନଲାଇନ କୋରିଅର୍ ସେବା ନାଁରେ ମାଛ ପ୍ୟାକିଙ୍ଗ ସୋଲ ଡବାରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଡି ବସି ଥିଲା ଜିଲା ଅବକାରୀ ବିଭାଗ। ଏହି ଗଞ୍ଜେଇ ଉତ୍ତର ପ୍ରଦେଶ(ୟୁପି)ବୁଲନ୍ଦସହର ଜିଲା ଖୁର୍ଜାର ଅତିରିକ୍ତ ଜିଲା ଜଜଙ୍କ ନାମରେ ଚାଲାଣ ହେଉଥିବା ଠିକଣାରେ ଲେଖାଯାଇଛି।

ଭବାନୀପାଟଣା ବ୍ଲକ ପରମାନନ୍ଦପୁର ସ୍ଥିତ ଇକମର୍ସ ଅନଲାଇନ୍ କୋରିଅର୍ ସେବା (ସେଫ ଏକ୍ସପ୍ରେସ) ନାମକ ଏକ ଗୋଦାମ ଘରେ ଚଢ଼ାଉ ସମୟରେ ୨୫ଟି ବସ୍ତାରେ ପ୍ରାୟ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଗୋଦାମର ମୁଖ୍ୟ ପରିଚାଳକ ଉତ୍ତର ପ୍ରଦେଶର ସତ୍ୟେନ୍ଦ୍ର କୁମାର ପାଣ୍ଡେ(୩୦)ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି କୋରିଅର୍ ସେବା ଗତ ୨ ବର୍ଷରୁ ଉର୍ଦ୍ଧ୍ବ ହେବା ସେଠାରେ ଚାଲୁଥିବାବେଳେ ଅବକାରୀ ନା ପୋଲିସ ବିଭାଗ ଏଥିପ୍ରତି କିଏ ବି କେମିତି ଜାଣି ପାରିଲେନି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଜିଲା ଅବକାରୀ ଅଧ୍ୟକ୍ଷକ ରଞ୍ଜନ କୁମାର ନାୟକ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉରେ ଅତିରିକ୍ତ ଜିଲା ଅବକାରୀ ଅଧ୍ୟକ୍ଷକ ସାଗରିକା ପ୍ରଧାନ, ଇନ୍ସପେକ୍ଟର ରାମଜି ପଟେଲ, ଏସଆଇ ପଙ୍କଜ ନାଏକ ପ୍ରମୁଖ ସାମିଲ ଥିଲେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।