ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

Oct 02, 2026 - 07:36
ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ ଅପରାଜିତ ୨୨୩ ରନ୍‌ର ପାଳି ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ତେବେ ମ୍ୟାଚ୍‌ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଗିଲ୍‌ଙ୍କ ବ୍ୟାଟିଂ ଅପେକ୍ଷା ତାଙ୍କ ଅଧିନାୟକତ୍ୱର ଏକ ବିଶେଷ ଦିଗକୁ ପ୍ରଶଂସା କରିଛନ୍ତି।

ଗମ୍ଭୀର କହିଛନ୍ତି, ଅଧିନାୟକ ଭାବେ ଗିଲ୍‌ ଧୀରେ ଧୀରେ ଏଭଳି ଜଣେ ଖେଳାଳି ହେଉଛନ୍ତି, ଯିଏ ନିଜ ବୋଲରମାନଙ୍କୁ ବୁଝିବା ସହ ସେମାନଙ୍କ ବିଶ୍ୱାସ ଜିତିପାରୁଛନ୍ତି । ଅଧିନାୟକ ଦାୟିତ୍ୱ ମିଳିବା ପରେ ଗିଲ୍‌ଙ୍କ ଖେଳରେ ମଧ୍ୟ ଉନ୍ନତି ହୋଇଛି। ଡ୍ରେସିଂ ରୁମ୍‌ରେ ଗିଲ୍‌ଙ୍କୁ ଖେଳାଳିମାନଙ୍କ ସମ୍ମାନ ମିଳୁଛି ଏବଂ ଦଳ ତାଙ୍କ କଥା ଶୁଣୁଛି । ଜଣେ ଅଧିନାୟକ ପାଇଁ ବୋଲରମାନେ ପଡ଼ିଆରେ କେତେ କଷ୍ଟକର ପରିସ୍ଥିତିର ସାମ୍ନା କରୁଛନ୍ତି, ତାହା ବୁଝିବା ଅତ୍ୟନ୍ତ ଜରୁରୀ। ଏହି କାରଣରୁ ଗମ୍ଭୀର ଗିଲ୍‌ଙ୍କୁ ଧୀରେ ଧୀରେ ‘ବୋଲରଙ୍କ କ୍ୟାପ୍‌ଟେନ୍‌’ ଭାବେ ଦେଖୁଥିବା କହିଛନ୍ତି।

ଦ୍ୱିତୀୟ ଦିନିକିଆରେ ଯୁବ ଦ୍ରୁତ ବୋଲର ଔକିବ ନବୀ ଏବଂ ଗୁରନୂର ବରାଡ଼ଙ୍କୁ ସୁଯୋଗ ଦେବା ନିଷ୍ପତ୍ତିକୁ ମଧ୍ୟ ଗମ୍ଭୀର ସମର୍ଥନ କରିଛନ୍ତି। ୨୦୨୭ ଦିନିକିଆ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତିରେ ଯୁବ ଖେଳାଳିଙ୍କୁ କେବଳ ସହଜ ମ୍ୟାଚ୍‌ରେ ସୁଯୋଗ ଦେବା ଯଥେଷ୍ଟ ନୁହେଁ । ଚାପପୂର୍ଣ୍ଣ ମ୍ୟାଚ୍‌ରେ ମଧ୍ୟ ସେମାନଙ୍କୁ ଖେଳିବାର ଅନୁଭବ ଦେବା ଆବଶ୍ୟକ ବୋଲି ଗମ୍ଭୀର କହିଛନ୍ତି । ଗୁରନୂର ୧୦ ଓଭରରେ ୯୬ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ । ଅନ୍ୟପକ୍ଷରେ ଔକିବ ନବୀ ନିଜ ଦିନିକିଆ ଡେବ୍ୟୁ କରି ୮.୫ ଓଭରରେ ୮୪ ରନ୍‌ ଦେଇଥିଲେ। ଉଭୟଙ୍କ ପ୍ରଦର୍ଶନର ପରିସଂଖ୍ୟାନ ଭଲ ନଥିଲେ ମଧ୍ୟ ଏଭଳି ମ୍ୟାଚ୍‌ରୁ ଯୁବ ବୋଲରମାନେ ଭବିଷ୍ୟତ ପାଇଁ ଜରୁରୀ ଅନୁଭବ ହାସଲ କରିବେ ବୋଲି ଗମ୍ଭୀରଙ୍କ ମତ ଦେଇଛନ୍ତି ।

ଦ୍ୱିତୀୟ ଦିନିକିଆରେ ଉଭୟ ଦଳ ୪୦୦ରୁ ଅଧିକ ରନ୍‌ କରିଥିଲେ। ଏହାକୁ ନେଇ ଗୁଆହାଟୀ ପିଚ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି ଗମ୍ଭୀର। ତାଙ୍କ ମତରେ, ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ ଲଢ଼େଇ ଆହୁରି ସନ୍ତୁଳିତ ହେବା ଆବଶ୍ୟକ। କେବଳ ଜଣେ ବୋଲର କେତେ ରନ୍‌ ଦେଲେ କିମ୍ବା କେତେ ୱିକେଟ୍‌ ନେଲେ, ତାହା ଆଧାରରେ ତାଙ୍କ ପ୍ରଦର୍ଶନର ମୂଲ୍ୟାୟନ କରାଯିବା ଉଚିତ୍‌ ନୁହେଁ । କଷ୍ଟକର ପରିସ୍ଥିତିରେ ବୋଲର ନିଜ ଯୋଜନାକୁ କେତେ ଭଲ ଭାବେ କାର୍ଯ୍ୟକାରୀ କରିପାରିଲେ, ତାହା ମଧ୍ୟ ଦେଖିବା ଦରକାର ବୋଲି ଗମ୍ଭୀର କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।