ଗୁଜରାଟ ୟୁସିସି ବିଲ୍କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ
ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର ହୋଇଯାଇଛି। ଗୁଜରାଟ ସରକାରଙ୍କ ପକ୍ଷରୁ ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହେବାକୁ ଥିବା ତାରିଖରୁ ୟୁସିସି ଆଇନ କାର୍ଯ୍ୟକାରୀ କରାଯିବ। ଗତ ମାର୍ଚ୍ଚ ୨୪ରେ ୟୁସିସି ବିଧେୟକ ଗୁଜରାଟ ବିଧାନସଭାରେ ଗୃହୀତ ହୋଇଥିଲାବେଳେ ସେପ୍ଟେମ୍ବର ୧୭ରେ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଥିବା ବିଜ୍ଞପ୍ତିରେ କୁହାଯାଇଛି।
ୟୁସିସି ଆଇନ ଅନୁଯାୟୀ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର, ଲିଭ୍-ଇନ୍ ସମ୍ପର୍କ ଆଦି ପାଇଁ ସମାନ ନିୟମ କାର୍ଯ୍ୟକାରୀ ହେବ। ଏହା ଗୁଜରାଟ ରାଜ୍ୟ ସମେତ ରାଜ୍ୟ ବାହାରେ ରହୁଥିବା ଗୁଜରାଟୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ାତାବ ସମ୍ବିଧାନର ଅନୁଚ୍ଛେଦ ୩୪୨ରେ ଥିବା ଅନୁସଚିତ ଜନଜାତିର ସଦସ୍ୟମାନଙ୍କୁ ଉକ୍ତ ଆଇନରୁ ବାଦ୍ ଦିଆଯାଇଛି। ସେହିପରି ସମ୍ବିଧାନର ଭାଗ ୨୧ ଅଧୀନରେ ଯେଉଁ ବ୍ୟକ୍ତି ବା ଗୋଷ୍ଠୀଙ୍କ ପ୍ରଥାଗତ ଅଧିକାରୀ ସୁରକ୍ଷିତ ରହିଛି, ସେମାନେ ମଧ୍ୟ ୟୁସିସିରୁ ବାଦ୍ ପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ଉତ୍ତରାଖଣ୍ଡରେ ୟୁସିସି ଆଇନ ଲାଗୁ ହୋଇଥିବାବେଳେ ଆସାମ ଏବଂ ମଧ୍ୟପ୍ରଦେଶରେ ବିଲ୍ ଗୃହୀତ ହୋଇ ବିଜ୍ଞପ୍ତି ଅପେକ୍ଷାରେ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।