ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

Oct 02, 2026 - 20:04
ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି ହାତୀଙ୍କ ଏକ ପଲ ତୁମୁଡିବନ୍ଧ ବନାଞ୍ଚଳ ଅଧୀନ ଲଙ୍କାଗଡ଼ ଅଞ୍ଚଳକୁ ଆସି ବାରେଙ୍ଗିଲି ଓ ଅର୍ଜୁନପୁର ଗ୍ରାମରେ ଉପଦ୍ରବ କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ୫ଟିକିଆ ହାତୀପଲରେ ଗୋଟିଏ ଦନ୍ତା ହାତୀ, ଦୁଇଟି ମାଈ ହାତୀ ଓ ଦୁଇଟି ଛୁଆ ହାତୀ ରହିଛନ୍ତି। ହାତୀପଲଟି ଗ୍ରାମ ନିକଟବର୍ତ୍ତୀ ଚାଷଜମିରେ ପଶି ଧାନ, କପା ସମେତ ବିଭିନ୍ନ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଆଖି ସାମ୍ନାରେ ଚାଷ ନଷ୍ଟ ହେବା ପରେ କ୍ଷତିଗ୍ରସ୍ତ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଚାଷ ଉପରେ ନିର୍ଭର କରି ପରିବାର ଚଳାଉଥିବା ଚାଷୀମାନେ ହାତୀ ଉପଦ୍ରବକୁ ନେଇ ଚିନ୍ତିତ ଥିବା ବେଳେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଲଙ୍କାଗଡ଼ ଫୋରେଷ୍ଟ ସ୍କ୍ୱାଡ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି। ଏଥିସହ ଗ୍ରାମବାସୀଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ, ହାତୀଙ୍କ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବା ପରେ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଲଙ୍କାଗଡ଼ ଫୋରେଷ୍ଟର ଜ୍ୟୋତିରାଜ ମଲ୍ଲିକ କହିଛନ୍ତି। ଏଥିସହ ହାତୀପଲର ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖିଥିବା ସେ କହିଛନ୍ତି।

ହାତୀ ଉପଦ୍ରବରୁ ଚାଷକୁ ସୁରକ୍ଷା ଦେବା ସହ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।