ଗୁଣ୍ଡୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସୁଧୁରୁନି ଅବ୍ୟବସ୍ଥା, ଅନ୍ୟତ୍ର ଯାଉଛନ୍ତି ପିଲା

Oct 22, 2026 - 10:40
ଗୁଣ୍ଡୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସୁଧୁରୁନି ଅବ୍ୟବସ୍ଥା, ଅନ୍ୟତ୍ର ଯାଉଛନ୍ତି ପିଲା

ବଇଣ୍ଡା,୨୨।୧୦(ପରିକ୍ଷିତ ସାହୁ): ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ପିଲାମାନଙ୍କୁ ଉତ୍ତମ ଶିକ୍ଷାଦାନ ସହ ଶୈକ୍ଷିକ ପରିବେଶକୁ ଉନ୍ନତମାନର କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ଅନେକ ପୁରାତନ ବିଦ୍ୟାଳୟର ଠିକ୍‌ ଭାବେ ବିକାଶ କରାଯାଉ ନ ଥିବା ଯୋଗୁ ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଆନନ୍ଦପୁର ନିକଟରେ ଥିବା ଗୁଣ୍ଡୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ। ବିଦ୍ୟାଳୟରେ ଅନେକ ସମସ୍ୟା ଥିବାବେଳେ ସମାଧାନ କରାଯାଉ ନାହିଁ। ଏନେଇ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଗ୍ରାମବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା କୁହାଯାଇଛି। ବିଶେଷକରି ଏକାଧିକ ଅବ୍ୟବସ୍ଥା କାରଣରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଅନ୍ୟତ୍ର ନେଇଯାଉଥିବାରୁ ବର୍ଷକୁ ବର୍ଷ ସଂଖ୍ୟା କମି କମି ଯାଉଛି।
୧୯୫୩ରେ ଗୁଣ୍ଡୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବିଦ୍ୟାଳୟରେ ଶିଶୁବାଟିକାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୨୦୨୪ରେ ଏଠାରେ ୧୪୫ଛାତ୍ରୀଛାତ୍ର ପଢ଼ୁଥିବାବେଳେ ୨୦୨୫ରେ ଏହା ହ୍ରାସପାଇ ୧୧୨ ଏବଂ ଚଳିତ ବର୍ଷ ୯୪ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ମୋଟ ୫ଜଣ ଶିକ୍ଷୟିତ୍ରୀଶିକ୍ଷକ ଅଛନ୍ତି। ହେଲେ ପିଲାମାନେ ବସି ପଢ଼ିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ମୋଟ ୭ଟି ଶ୍ରେଣୀଗୃହ ଥିବାବେଳେ ୩ଟି ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଅନ୍ୟ ୪ଟି ଶ୍ରେଣୀଗୃହରେ ପଢ଼ାଯାଉଛି। ପ୍ରତି ଶ୍ରେଣୀଗୃହରେ ୨ଟି ଶ୍ରେଣୀର ପିଲା ଏକାଠି ବସି ପାଠ ପଢୁଛନ୍ତି। ଏପରିକି ଛାତ୍ରୀଛାତ୍ରଙ୍କ ପାଇଁ ଥିବା ଶୌଚାଳୟଗୁଡ଼ିକର ପ୍ୟାନ୍‌ ଭାଙ୍ଗିଯିବା ସହ ପାଇଖାନା ଟାଙ୍କି ଭୁଶୁଡ଼ି ପଡ଼ିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ବିଦ୍ୟାଳୟର ଶୌଚାଳୟ ମରାମତି ପାଇଁ ୧ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ହେଲେ ଏହାର ଠିକ୍‌ ଭାବେ ଉପଯୋଗ କରାଯାଇ ନ ଥିବାରୁ ଶୌଚାଳୟ ବ୍ୟବହାରଯୋଗ୍ୟ ହୋଇପାରୁ ନାହିଁ। ପିଲାମାନେ ଶୌଚ ପାଇଁ ଖୋଲାପଡ଼ିଆ ଓ ନିକଟରେ ଥିବା ଏକ ନାଳ ଉପରେ ଭରସା କରୁଛନ୍ତି। ବିଦ୍ୟାଳୟରେ ପାଚେରି ନ ଥିବା ଯୋଗୁ ଅନେକ ସମୟରେ ଗୋରୁଙ୍କ ଅବାଧ ପ୍ରବେଶ ହେଉଛି। ଏନେଇ ଶିକ୍ଷା କମିଟି ପକ୍ଷରୁ ବହୁବାର ବ୍ଲକ ଶିକ୍ଷା ବିଭାଗଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳୁ ନାହିଁ l ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉତ୍ତମ ନାୟକ କହିଛନ୍ତି, ବିଦ୍ୟାଳୟର ସମସ୍ତ ସମସ୍ୟା ସମ୍ପର୍କରେ ଉଚ୍ଚ ପଦାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ବୋଲି କହିଛନ୍ତି। ଏ ନେଇ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ସୁନୀଲ କୁମାର ପ୍ରଧାନଙ୍କ କହିବାହେଲା, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଆମ ପାଖରେ ପୂର୍ୱରୁ ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ ଜିଲା ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ସମସ୍ୟା ସମାଧାନ ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଚାଲିଛି। ବିଦ୍ୟାଳୟ ପ୍ରତି ଉଭୟ ସରକାର, ପ୍ରଶାସନ ଏବଂ ସ୍କୁଲ ପରିଚାଳନା କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ଷମତାର ବିକେନ୍ଦ୍ରୀକରଣ ତଥା ପରସ୍ପର ସହଯୋଗୀ ମନୋଭାବ ପୋଷଣ ଜରିଆରେ ଏହାର ପାରିପାଶର୍‌ବିକ ସ୍ଥିତି ଅନୁଧ୍ୟାନ କରି ବିଦ୍ୟାଳୟକୁ ସୁନ୍ଦର ସ୍ୱାବଲମ୍ୱୀ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଛି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ସସ୍ମିତା ନାହାକ କହିଛନ୍ତି। ବିଦ୍ୟାଳୟର ପୂର୍ୱତନ ଛାତ୍ର ତଥା ଶିକ୍ଷାବିତ୍‌
ବସନ୍ତ କୁମାର ଗଡ଼ନାୟକଙ୍କ କହିବା ହେଲା, ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ପ୍ରଶାସନ କି ସରକାରଙ୍କ ଦୃଷ୍ଟି ପଡୁନାହିଁ। ପ୍ରଧାନଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକଙ୍କ ପ୍ରଚେଷ୍ଟା ଜାରି ରହିଛି। ହେଲେ ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରଙ୍କ ଉଦାସୀନତା କାରଣରୁ ବିଦ୍ୟାଳୟ ଉନ୍ନତିରେ ବାଧା ସୃଷ୍ଟି ହେଉଛି ବୋଲି ଗଡ଼ନାୟକ କହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।