‘କ୍ଷମା କରିବେ, ମୁଁ କିଛି ଲେଖିପାରିବିନି…’: ବିଗ ବିଙ୍କ ପୋଷ୍ଟ ଦେଖି ଛାନିଆ ପ୍ରଶଂସକ, ଜାଣନ୍ତୁ ପୂରା ଘଟଣା

Oct 22, 2026 - 11:44
‘କ୍ଷମା କରିବେ, ମୁଁ କିଛି ଲେଖିପାରିବିନି…’: ବିଗ ବିଙ୍କ ପୋଷ୍ଟ ଦେଖି ଛାନିଆ ପ୍ରଶଂସକ, ଜାଣନ୍ତୁ ପୂରା ଘଟଣା

ମୁମ୍ୱାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଗ ବି ନିଜ ଏକ୍ସ (X) ଆକାଉଣ୍ଟରେ ପ୍ରାୟତଃ ବ୍ଲଗ ସେୟାର କରିଥାନ୍ତି, କିନ୍ତୁ ଗତ କିଛି ଦିନ ହେବ ସେ ଗୋଟିଏ ବି ପୋଷ୍ଟ ସେୟାର କରିନଥିଲେ, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଯାଇଥିଲେ। ଅନ୍ୟପକ୍ଷରେ, ବିଗ ବି ଏବେ ଏକ ପୋଷ୍ଟ ସେୟାର କରି ବ୍ଲଗ ନ ଲେଖିପାରିବାର କାରଣ ଜଣାଇଛନ୍ତି। ଏହାପରେ ପ୍ରଶଂସକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ଅଭିନେତା କହିଛନ୍ତି ଯେ ସେ କିଛି ଲେଖିବା ସ୍ଥିତିରେ ନାହାନ୍ତି, କାରଣ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏବେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ ଏହି ସଦ୍ୟତମ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା ପ୍ରକୃତ ଘଟଣାଟି କ’ଣ।

ଅମିତାଭ ବଚ୍ଚନ ୮୪ ବର୍ଷ ବୟସରେ ମଧ୍ୟ ନିଜ ଏକ୍ସ ଆକାଉଣ୍ଟରେ ପ୍ରାୟତଃ ନିଜ ମନର ଭାବନା ଲେଖି ପ୍ରଶଂସକମାନଙ୍କ ସହ ସେୟାର କରନ୍ତି। ଏହାସହ ଅଭିନେତା ପ୍ରତି ରବିବାର ନିଜ ଘର ବାହାରେ ପ୍ରଶଂସକମାନଙ୍କୁ ଭେଟି ମଧ୍ୟ ଥାନ୍ତି। ବିଗ ବିଙ୍କ ଏହି ବ୍ୟବହାର ଯୋଗୁଁ ହିଁ ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି ଏବଂ ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି। ତେବେ କିଛି ଦିନ ହେବ ସେ ନିଜ ଏକ୍ସ ଆକାଉଣ୍ଟରେ କୌଣସି ବ୍ଲଗ ସେୟାର କରିନଥିଲେ। ଏବେ ଅଭିନେତା ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। ପୋଷ୍ଟରେ କ୍ଷମା ମାଗି ସେ ଲେଖିଛନ୍ତି, ‘କ୍ଷମା କରିବେ। ମୁଁ କ୍ଷମାପ୍ରାର୍ଥୀ। ମୋତେ ବିଶ୍ରାମ ନେବା ଏବଂ ସୁସ୍ଥ ହେବା ପାଇଁ କିଛି ଦିନ ଛୁଟି ନେବାକୁ ପରାମର୍ଶ ଦିଆଯାଇଛି, ତେଣୁ ବର୍ତ୍ତମାନ ମୁଁ କିଛି ବି ଲେଖିବା ସ୍ଥିତିରେ ନାହିଁ।’

ବିଗ ବିଙ୍କ ଏହି ପୋଷ୍ଟ ଦେଖିବା ମାତ୍ରେ ହିଁ ପ୍ରଶଂସକମାନଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ଅଭିନେତା ନିଜ ପୋଷ୍ଟରେ କହିଛନ୍ତି ଯେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି, ଯାହାପରେ ତାଙ୍କ ସୱାସ୍ଥ୍ୟାବସ୍ଥାକୁ ନେଇ ଲୋକଙ୍କ ମନରେ ଚିନ୍ତା ବଢ଼ିଛି। ତେବେ ନିଜ ପୋଷ୍ଟରେ ଅଭିନେତା ଏହା ସ୍ପଷ୍ଟ କରିନାହାନ୍ତି ଯେ ତାଙ୍କର କି ସମସ୍ୟା ହୋଇଛି, ଯେଉଁଥିପାଇଁ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି। ଏହି କାରଣରୁ ପ୍ରଶଂସକମାନେ ତାଙ୍କ ସୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି। ପ୍ରଶଂସକମାନେ ତାଙ୍କ ପୋଷ୍ଟର କମେଣ୍ଟ ବକ୍ସରେ ତାଙ୍କର ଭଲମନ୍ଦ ପଚାରି ବୁଝୁଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଅଭିନେତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ପ୍ରକୃତରେ ‘କୌନ ବନେଗା କରୋଡ଼ପତି’ (KBC)ର ସୁଟିଂ ସମୟରେ ଅଭିନେତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି କଥା ଅଭିନେତା ନିଜେ ‘କେବିସି’ର ଏକ ଏପିସୋଡରେ ପ୍ରକାଶ କରିଥିଲେ। ଏଥିସହ ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ଆଣ୍ଠୁରେ ସେତେଟା ଗୁରୁତର ଆଘାତ ଲାଗିନାହିଁ। ସେହି ଏପିସୋଡରେ ଅଭିନେତା ହଟ ସିଟରେ ବସି ରହି ହିଁ ପୂରା ସୁଟିଂ ଶେଷ କରିଥିଲେ। ତେବେ ନୂଆ ପୋଷ୍ଟରେ ଅଭିନେତା ନିଜ ସୱାସ୍ଥ୍ୟ ସମ୍ପର୍କିତ କେଉଁ ସମସ୍ୟା ବିଷୟରେ କହିଛନ୍ତି, ତାହା ସେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।