ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ
ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା ୨୨ରେ ହତ୍ୟାକାଣ୍ଡ ହୋଇଥିବା ବେଳେ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଖବର ଅନୁସାରେ, ପାଟଣା ଓ ତୁରୁମୁଙ୍ଗା ଥାନା ସୀମାନ୍ତରେ ଥିବା ତୁରୁମୁଙ୍ଗା ଥାନା ହନୁମାନ ଛକ ରସିକ ଛକ ମଝି ଜଙ୍ଗଲ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି । ଜଣେ ବ୍ୟବସାୟୀଙ୍କୁ ୧ରାଉଣ୍ଡ ଗୁଳିମାଡ଼ କରିବା ସହ ବାମ ହାତକୁ ଓ ଅଣ୍ଟାକୁ ହାଣି ହତ୍ୟା କରିଛନ୍ତି । ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ଲୁଟି ନେଇଛନ୍ତି । ମୃତକ ହେଲେ କେନ୍ଦେଇପୋଷି ପଞ୍ଚାୟତ ଖଜିରାପୋଷି ଗ୍ରାମର ସାଧବ ମହାନ୍ତଙ୍କ ପୁଅ ତ୍ରିଲୋଚନ ମହାନ୍ତ(୪୨) । ରାସ୍ତା ଉପରେ ତାଙ୍କର ମୃତଦେହ ସହିତ ସ୍କୁଟି ମଧ୍ୟ ରହିଛି । ପୋଲିସର ଉଚ୍ଚସ୍ତରୀୟ ଅଧିକାରୀମାନେ ଆସି ନାକାବନ୍ଦୀ କରିଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇ ଆଡିସନଲ ଏସ ପି ପ୍ରତ୍ୟୁ ଶ ମହାପାତ୍ର ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସ୍ଆଇ ଲକ୍ଷ୍ମଣ ମାଝି, ଚମ୍ପୁଆ ଏସ ଡି ପି ଓ ରଶ୍ମି ରଞ୍ଜନ ସାହୁ, ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ, ଏ ଏସ ଆଇ ସୁଜାତା ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ତ୍ରିଲୋଚନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ଧରଣୀ ଧର୍ ମେଡ଼ିକାଲ କଲେଜକୁ ନେଇଥିଲେ । ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲା। ଅନ୍ୟପକ୍ଷରେ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ତ୍ରିଲୋଚନ କେନ୍ଦେଇପୋଷି ବଜାରର ବଲାଣିପୋଷି ରାସ୍ତାରେ ଏକ ଜନସେବା କେନ୍ଦ୍ର ସହ ବ୍ୟାଙ୍କିଂ ସେବା କେନ୍ଦ୍ର ଖୋଲିଥିଲେ । ତାଙ୍କ ସ୍ତ୍ରୀ ତୁଳସୀ ମହାନ୍ତ ପାଟଣା ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ । ପ୍ରତିଦିନ ଭଳି ସୋମବାର ରାତିରେ ମଧ୍ୟ ତ୍ରିଲୋଚନ ଦୋକାନ ବନ୍ଦ କରି ବାଇକ୍ ଯୋଗେ ଟଙ୍କା ବ୍ୟାଗ୍ ଧରି ପାଟଣା ଥାନା କ୍ୱାର୍ଟର୍ସକୁ ଫେରୁଥିଲେ। ଏହି ସମୟରେ ଖୁଣ୍ଟା ପଡ଼ା ଆକାଶିଆ ଜଙ୍ଗଲ ଜଙ୍ଗଲ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲା ତ୍ରିଲୋଚନ ଟଙ୍କା ନଦେଇ ଦୁର୍ବୃତ୍ତଙ୍କ ସହ ଧସ୍ତି କରିବାରୁ ତାଙ୍କୁ ଗୁଳି କରିବା ସହ ହାଣି ପକାଇ ଥିଲେ । ଏହା ପରେ ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଶୋକ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ସାଇଣ୍ଟିଫିକ୍ଟିମ ଡକାଇ ତଦନ୍ତ ଜାରି ରଖିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।