ଗୋଟିଏ ଦିନରେ ୪୮ ଜୁଆ ଆଡ୍ଡାରେ ଚଢ଼ାଉ: ୨୮୭ ଜୁଆଡ଼ି ଗିରଫ, ୯ ଲକ୍ଷ ଟଙ୍କା ଜବତ
ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ଗଞ୍ଜାମ ଜିଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ହୋଇଛି। ଗତ ୫ ଦିନ ମଧ୍ୟରେ ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ୧୫୪ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ୮୮୦ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୨୫ ଲକ୍ଷ ୨୨ ହଜାର ୨୯୧ ଟଙ୍କା ନଗଦ, ୨୦୬ଟି ମୋବାଇଲ ଫୋନ, ୩୨ଟି ଗାଡ଼ି ସହ ବହୁ ପରିମାଣରେ ତାସ ଜବତ କରାଯାଇଛି।
ଅକ୍ଟୋବର ୨୪ରେ ଗୋଟିଏ ଦିନରେ ବିଭିନ୍ନ ଥାନା ଅଞ୍ଚଳରେ ୪୮ଟି ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଥିଲା। ଏଥିରେ ୨୮୭ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ୯ ଲକ୍ଷ ଟଙ୍କା ନଗଦ ସହ ୬୪ଟି ମୋବାଇଲ ଫୋନ ଓ ୭ଟି ଗାଡ଼ି ଜବତ ହୋଇଥିଲା। ଗିରଫ ସମସ୍ତଙ୍କ ଉପରେ ଆଇନ ଅନୁଯାୟୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏସ୍ପି କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ବିଶେଷ କରି ପୋଲସରା ଥାନା ପକ୍ଷରୁ ୭ଟି ମାମଲାରେ ୪୩ ଜଣ ଗିରଫ ହୋଇଥିବା ବେଳେ ୩ ଲକ୍ଷ ୧୪ ହଜାର ୪୦୦ ଟଙ୍କା ଓ ୧୨ଟି ମୋବାଇଲ ଫୋନ ଜବତ କରାଯାଇଛି।
ସେହପରି ଭଞ୍ଜନଗର ଥାନା ପକ୍ଷରୁ ଗୋଟିଏ ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇ ୨୯ ହଜାର ୧୬୦ ଟଙ୍କା ଜବତ କରାଯିବା ସହ ୯ଟି ମୋବାଇଲ ଫୋନ ଏବଂ ଗୋଟିଏ ଗାଡ଼ି ଜବଡ ହୋଇଛି। ସେହିପରି ପୁରୁଷୋତ୍ତମପୁର ଥାନା ପକ୍ଷରୁ ଗୋଟିଏ ମାମଲାରେ ୧୧ଜଣଙ୍କୁ ଗିରଫ କରି ୭୭ ହଜାର ୮୨୦ ଟଙ୍କା ଜବତ କରାଯାଇଛି। ପାର୍ବଣ ସମୟରେ ଜୁଆ ଖେଳ ସମେତ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଉପରେ ପୋଲିସର କଡ଼ା ନଜର ରହିଛି ବୋଲି ଗଞ୍ଜାମ ଏସ୍ପି ହରିଶ ବି.ସି. କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।