ଉତ୍ସବ ମୁଖର ରିଷିଡ଼ା: ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ମହିଳାଙ୍କ…

Oct 25, 2026 - 15:35
ଉତ୍ସବ ମୁଖର ରିଷିଡ଼ା: ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ମହିଳାଙ୍କ…

ରିଷିଡ଼ା,୨୫ା୧୦(ସୁଶାନ୍ତ ମଲ୍ଲିକ): ଚତୁର୍ଦ୍ଦିଗରେ ଘଣ୍ଟ, ଘଣ୍ଟା, ହୁଳହୁଳି ଏବଂ ସଙ୍କୀର୍ତ୍ତନର ପ୍ରତିଧ୍ୱନି; ସାରା ପରିବେଶ ହୋଇପଡ଼ିଛି ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର। ମା’ ଜଗଜ୍ଜନନୀ ମା’ ଗଜଲକ୍ଷ୍ମୀଙ୍କ ଆଗମନରେ ଏବେ ଚଳଚଞ୍ଚଳ ରିଷିଡ଼ା-ସଲଣ୍ଡିଆମୁଣ୍ଡା ଅଞ୍ଚଳ। ମଙ୍ଗଳମୟ ପରିବେଶ ଏବଂ ବେଦପାଠର ମନ୍ତ୍ରୋଚ୍ଚାରଣ ସହ ଆଜି ଅଞ୍ଚଳରେ ରବିବାର ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜା କମିଟିର କର୍ତ୍ତା ଏବଂ ଶହଶହ ଶ୍ରଦ୍ଧାଳୁଙ୍କ ଯୋଗଦାନରେ ଏହି କଳସ ଯାତ୍ରା ବାହାରିଥିଲା। ପବିତ୍ର କଳସ ଧାରଣ କରି ଶ୍ରଦ୍ଧାଳୁ ମହିଳା ଓ ଯୁବକମାନେ ମଙ୍ଗଳ ସୂଚକ ଗୀତ ଓ ନାଚ ମାଧ୍ୟମରେ ପରିକ୍ରମା କରିଥିଲେ। ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଯୁବକମାନଙ୍କ ଉତ୍ସାହ ଏବଂ ଭକ୍ତମାନଙ୍କ ‘ଜୟ ମା’ ଲକ୍ଷ୍ମୀ’ ଧ୍ୱନିରେ ସମଗ୍ର ରାସ୍ତାଘାଟ ପ୍ରକମ୍ପିତ ହୋଇଉଠିଥିଲା। ନିଷ୍ଠା ଓ ଭକ୍ତିର ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ, ଏହି ପର୍ବକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିତରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଆବାଳବୃଦ୍ଧବନିତା ସମସ୍ତେ ଏହି ଧର୍ମାନୁଷ୍ଠାନରେ ସାମିଲ ହୋଇ ମା’ଙ୍କ ସାନିଧ୍ୟ ଲାଭ କରିଛନ୍ତି। କଳସ ସ୍ଥାପନ ପରେ ନିୟମାନୁଯାୟୀ ଆଗାମୀ ଦିନଗୁଡ଼ିକରେ ପୂଜାମଣ୍ଡପରେ ନୀତିକାନ୍ତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସୁନ୍ଦର ଓ ଶୃଙ୍ଖଳିତ କାର୍ଯ୍ୟକ୍ରମକୁ ସଫଳ କରିବାରେ ରିଷିଡ଼ା-ସଲଣ୍ଡିଆମୁଣ୍ଡା ପୂଜା କମିଟିର ସଭାପତି ହେମନ୍ତ ଭୋଇ, ସମ୍ପାଦକ ବାସୁଦେବ ସେଲମା, ପୂଜକ ରୁଦ୍ର ଦେବ ଦାସ ଓ କର୍ତ୍ତା ଭାବରେ ନରୋତ୍ତମ ସେଲମା ତାଙ୍କ ସହଧର୍ମିଣୀ ବନିତା ସେଲମା, ସମେତ ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।