ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

Sep 12, 2026 - 21:02
ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ବିଭିନ୍ନ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ କେଶବ ଗୌଡ଼ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହା ପୂର୍ବରୁ ୨୦୨୪ରେ ଅନ୍ୟ ଜଣେ ଅଭିଯୁକ୍ତ କୁନା ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବିଚାରପତି।

ଘଟଣାରୁ ପ୍ରକାଶ ଯେ, ୨୦୧୬ ମେ’ ୧୫ରେ ପରୀକ୍ଷିତଙ୍କୁ ଅଭିଯୁକ୍ତ ଦ୍ୱୟ ପୂର୍ବ ଶତ୍ରୁତାରୁ
ଛୁରି ଭୁସି ହତ୍ୟା କରିଥିଲେ। ଏହାପରେ ପୋଲିସ ୨୦୧୭ରେ କୁନା ପ୍ରଧାନଙ୍କୁ ଗିରଫ କରିଥିଲେ। ୨୦୨୪ରେ ସେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ବନ୍ଦୀ ଜୀବନ ବିତାଉଛନ୍ତି। ଅନ୍ୟ ଅଭିଯୁକ୍ତ କେଶବ ଫେରାର ଥିଲେ। ତେଣୁ ତାଙ୍କର ବିଚାରଣ ହୋଇପାରି ନ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କେଶବଙ୍କୁ ଗିରଫ କରାଯିବା ପରେ ଗତକାଲି ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ କେଶବଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ପକାଯାଇଛି। ଜରିମାନା ଅର୍ଥ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ ବୋଲି ବିଚାରପତି ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।