ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

Sep 12, 2026 - 17:29
ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଇଆଇସି କୁଳମଣି ସେଠୀଙ୍କ ସଂଯୋଜନାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍‌ଡିପିଓ ସୁଜିତ କୁମାର ନାୟକ, ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସୁଶାନ୍ତ କୁମାର ବେହେରା, ସରପଞ୍ଚଙ୍କ ପ୍ରତିନିଧି ଭଗବାନ ପ୍ରଧାନ, ଏସ୍‌ଆଇ ସୁଶାନ୍ତ କୁମାର ମିଶ୍ର ଓ ଦେବାଶିଷ ମିଶ୍ର ଯୋଗଦେଇ ଗୁଣିଗାରେଡ଼ି ଓ ଅନ୍ଧବିଶ୍ବାସର ବଶବର୍ତ୍ତୀ ନ ହେବାକୁ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ଖରାପ ହେଲେ ଗୁଣିଆଙ୍କ ପାଖକୁ ନ ଯାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ନିକଟକୁ ଯିବାଲାଗି କହିବା ସହ ଗୁଣିଆ ପାଖକୁଯାଇ ରୋଗିଙ୍କ ଜୀବନ ହରାଇବା ବଦଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ପରାମର୍ଶ ଦେଇ ଏହି ଗୁଣିଗାରେଡ଼ି ଅନ୍ଧବିଶ୍ବାସକୁ ନେଇ ଥିବା ଆପରାଧିକ ଆଇନ ସମ୍ପର୍କରେ ସଚେତନ କରାଇଥିଲେ। ଏହାସହ ଲୋକନାଟ୍ୟ ପ୍ରହଲ୍ଲାଦ ନାଟକ ପରିବେଷଣ କରି ତାହା ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ।

ସୂଚନାଯୋଗ୍ୟ, ରଣଝାଲି ଗ୍ରାମର ରାମ ବେହେରାଙ୍କ ବାପା ପଞ୍ଚୁ ବେହେରାଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ଗତ ଦୁଇମାସ ତଳେ ମୃତ୍ୟୁ ଘଟିଥିବା ବେଳେ ପୁଣି ତାଙ୍କ ସାନଭାଇ ଲକ୍ଷ୍ମଣ ବେରାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଛି। ଏହାକୁ ନେଇ ସେହିଗ୍ରାମର କେଶବ ଗୌଡ଼ ଗୁଣି କରି ଥିବାରୁ ଏଭଳି ସ୍ବାସ୍ଥ୍ୟ ଖରାପ ହେବାର ସନ୍ଦେହ କରି ଶୁକ୍ରବାର ତାଙ୍କୁ ଆକ୍ରମଣ କରିବା ସହ ପୋଲିସ ଥାନାରେ ପଶି ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ପୋଲିସ ୫ ମହିଳାଙ୍କ ସମେତ ୮ ଜଣଙ୍କୁ ବାନ୍ଧି ଜେଲ୍‌ ପଠାଇଥିଲା। ଏପରିକି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ ରହି ଗାଁରେ ପଇଁତରା ମାରୁଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।