ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

Sep 26, 2026 - 18:28
ଘରେ ତାଲା ଭାଙ୍ଗି  ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘରର ଗ୍ରିଲ କାଟି ଭିତରକୁ ପଶିବା ପରେ ୮ଟି ତାଲା ଭାଙ୍ଗି ଆଲମାରିରୁ ମୂଲ୍ୟବାନ ରୁପା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଗ୍ରାମର ଅଜୟ ମଲ୍ଲଙ୍କ ସ୍ତ୍ରୀ ଗୀତାଞ୍ଜଳି ଏନେଇ ନିକିରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗୀତାଞ୍ଜଳି ଘରେ ତାଲା ପକାଇ ଭୁବନେଶ୍ୱର ଯାଇଥିଲେ। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ପ୍ରଥମେ ଘରର ଗ୍ରିଲ କାଟି ଭିତରକୁ ପଶିଥିଲେ। ପରେ ଭିତର କବାଟରେ ପଡ଼ିଥିବା ୮ଟି ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଆଲମାରି ଭାଙ୍ଗି ସେଥିରେ ଥିବା ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏଥିସହ ଘରେ ଥିବା ଏକ ପର୍ସରୁ ନଗଦ ୨୦ ହଜାର ଟଙ୍କା ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଥିବା ଗୀତାଞ୍ଜଳି ଅଭିଯୋଗରେ ଦର୍ଶାଇଛନ୍ତି। ଚୋରି ସମ୍ପର୍କରେ ପଡ଼ୋଶୀଙ୍କଠାରୁ ଖବର ପାଇ ଗୀତାଞ୍ଜଳି ଭୁବନେଶ୍ୱରରୁ ନିଜ ଘରକୁ ଫେରିଥିଲେ। ଘରର ଅବସ୍ଥା ଦେଖିବା ପରେ ସେ ନିକିରେଇ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।

ଏ ସମ୍ପର୍କରେ ନିକିରେଇ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଧରିବା ସହ ଲୁଟ୍‌ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।