ଘର କାନ୍ଥ ନିର୍ମାଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୨ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ଜଣ…

Oct 23, 2026 - 23:21
ଘର କାନ୍ଥ ନିର୍ମାଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୨ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ଜଣ…

ଦିଗପହଣ୍ଡି, ୨୩।୧୦ (ଅଶେଷ ନାଥ ମିଶ୍ର): ଘର କାନ୍ଥ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ର କରି ଦୁଇ ଭାଇଙ୍କ ପରିବାର ମଧ୍ୟରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଏହି ମାମଲାରେ ପାଟପୁର ଥାନା ପୋଲିସ ଉଭୟ ପରିବାରର ୨ ଜଣ ମହିଳାଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଏରେନଡ୍ରା ପଞ୍ଚାୟତ ଡି. ଆମ୍ବଠା ଗ୍ରାମର ସାନଭାଇ ଶିବ ନାହାକ (୪୦), ତାଙ୍କ ସ୍ତ୍ରୀ ସୁଲତା ନାହାକ (୩୫), ବଡ଼ଭାଇ ବାବୁଲା ନାହାକ (୫୩), ତାଙ୍କ ସ୍ତ୍ରୀ ଟିକିନା ନାହାକ (୪୫) ଏବଂ ବାବୁଲାଙ୍କ ପୁଅ ଭୋଳା ନାହାକ (୧୯)ଙ୍କୁ ପାଟପୁର ଥାନା ଏସ.ଆଇ ଏସ.କେ. ଇମାଦାର ତରଫଦାର ଶୁକ୍ରବାର ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଥିଲେ। ଥାନା ମାମଲା ନଂ-୩୨୦/୨୬ ଏବଂ ୩୨୧/୨୬ ଅନୁଯାୟୀ କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଘଟଣାନୁଯାୟୀ, ଗତ ୪ ତାରିଖରେ ଘରର କାନ୍ଥ ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଉତ୍ତେଜନା ବୃଦ୍ଧି ପାଇବାରୁ ଉଭୟ ପକ୍ଷର ଲୋକେ ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ। ଏହି ରକ୍ତାକ୍ତ ସଂଘର୍ଷରେ ମୋଟ ୫ ଜଣ ଆହତ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ବଡ଼ଭାଇ ବାବୁଲା, ସାନଭାଇ ଶିବ ଏବଂ ତାଙ୍କ ସ୍ତ୍ରୀ ସୁଲତା ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରିବା ପରେ ମଧ୍ୟ ଗାଁରେ ଉଭୟ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଉଭୟ ପରିବାର ସଦସ୍ୟଙ୍କ ନାମରେ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ (BNSS) ର ଧାରା ୧୨୬ ଅନୁଯାୟୀ ମାମଲା ରୁଜୁ ପାଇଁ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟରେ ଯାଚିକା ଦାଖଲ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।