ଚକ୍ଷୁଷ୍ମାନ ଧୃତରାଷ୍ଟ୍ର
ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ ଯାହା ତାଙ୍କୁ ବଞ୍ଚେଇ ରଖିଥିଲା ତାହା ହେଉଛି ତାଙ୍କର ଅହେତୁକ ପୁତ୍ର ପ୍ରେମ। ଏଇ ଅନ୍ଧ ପୁତ୍ରପ୍ରେମ ହିଁ ତାଙ୍କ ଅସ୍ତିତ୍ୱର ସାରାଂଶ। ଏହା ହିଁ ତାଙ୍କୁ କେବଳ ପୌରାଣିକ ଚରିତ୍ରଟିଏ ଭିତରେ ସୀମିତ ନ ରଖି ସମଗ୍ର ମାନବ ଜାତି ପାଖରେ ଏକ ପ୍ରତୀକ ଭାବରେ ଉପସ୍ଥାପିତ କରେ ଏବଂ ଆଧୁନିକ ସମୟରେ ସର୍ବାଧିକ ପ୍ରାସଙ୍ଗିକତା ରଖୁଥିବା ଚରିତ୍ର ଭାବେ ଗଢ଼ିତୋଳେ। ସତ କହିବାକୁ ଗଲେ, ଆଜିକାଲିର ଅଧିକାଂଶ ବାପା ଜଣେଜଣେ ଧୃତରାଷ୍ଟ୍ର। ଶାରୀରିକ ଦୃଷ୍ଟିକୋଣରୁ ଆମେ ଅନ୍ଧ ନ ହେଇଥାଇପାରୁ, କିନ୍ତୁ ଆମେ ସମସ୍ତେ ଗୋଟିଏ ଗୋଟିଏ ଚକ୍ଷୁଷ୍ମାନ ଧୃତରାଷ୍ଟ୍ର। ପୁଅଠାରୁ ମାତ୍ରାଧିକ ପ୍ରତ୍ୟାଶା ରଖି ତା ଜରିଆରେ ସ୍ବର୍ଗସୁଖ ଭୋଗ କରିବାର ମୋହରେ ଆକ୍ରାନ୍ତ ହେଇ ଏ ଦୁନିଆରେ ଅନେକ ବାପା ନିଜ ଜୀବଦଶାରେ ନର୍କ ଭୋଗ କରୁଥିବାର ଯଥେଷ୍ଟ ଦୃଷ୍ଟାନ୍ତ ଆମ ପାଖରେ ଥିଲେ ମଧ୍ୟ ଆମେ ଏଇ ଛଳନାରେ ନିଜକୁ ଭୁଲେଇରଖୁ ଯେ ଏପ୍ରକାର ଅବସ୍ଥା ଆମମାନଙ୍କ ଭାଗ୍ୟରେ ଜୁଟିବନି କିମ୍ବା କିଛି ନିର୍ଦ୍ଦିଷ୍ଟ କାରଣରୁ ସବୁ କଷ୍ଟକର ପରିସ୍ଥିତିକୁ ସହ୍ୟ କରିନେଉ। ଏଇ ଭ୍ରମରେ ରହି ପୁଅଟିଏ ପାଇବା ପାଇଁ ଯାବତୀୟ ପ୍ରୟାସ କରି ଝିଅଙ୍କୁ ଅଣଦେଖା କରୁ। ଆମ ଭାବନାରେ ଅଛି ଯେ କୌଣସି ଝିଅ ଜରିଆରେ ନୁହଁ, ବରଂ ପୁଅ ଦ୍ୱାରା ଆମର ବଂଶବିସ୍ତାର ହେବ, ସେ ପିଣ୍ଡଦାନ କଲେ ଆମେ ମୋକ୍ଷପ୍ରାପ୍ତ ହେବୁ। କେବଳ ଏପ୍ରକାର ଭାବନା ଯୋଗୁ ପୁଅର ସବୁ ଇଚ୍ଛା, ଜିଦ ପୂରଣ କରିବାକୁ ତତ୍ପର ହେଇଉଠୁ। ତା’ ପାଇଁ ସାରା ଜୀବନର ପୁଞ୍ଜି ସାଇତି ରଖି ନିଜେ ଆଜୀବନ ଦରିଦ୍ର ଭଳି ଚଳିବାକୁ ପସନ୍ଦ କରୁ। ଆମର ସବୁ ତ୍ୟାଗକୁ ଅସ୍ବୀକାର କରି ସେଇ ପୁଅ ଯେତେବେଳେ ଆମକୁ ଲାଞ୍ଛନା ଦିଏ, ହତାଦର କରେ ସେତେବେଳେ ଏ ଆଖିରୁ ଲୁହ ନୁହେଁ ତ ଲହୁ ଝରେ। କିନ୍ତୁ ଚୋର ମାଆ ପରି ଆମେ ବାହାରକୁ ଟାଣମୁହଁ ଦେଖେଇ ଲୁଚିଲୁଚି କାନ୍ଦୁ। ଆଉ କେହିକେହି ପୁତ୍ର ମୋହ ଜନିତ ଦିବ୍ୟଜ୍ଞାନ ପ୍ରାପ୍ତ ହେଇଥିବା ପରି ଅନ୍ୟମାନଙ୍କୁ ପ୍ରବଚନ ଶୁଣାନ୍ତି। କିନ୍ତୁ ସେତେବେଳକୁ ଏ ଜ୍ଞାନ କିଛି କାମରେ ଆସେନି, କାରଣ ପ୍ରବଚନ ଶୁଣୁଥିବା ଭଦ୍ରବ୍ୟକ୍ତିଗଣ ସେତେବେଳକୁ ଜଣେଜଣେ ସଫଳ ଧୃତରାଷ୍ଟ୍ର ପାଲଟିସାରିଥାନ୍ତି।“
ଦୀର୍ଘ ଭାବପ୍ରବଣ ଭାଷଣ ପରେ ବକ୍ତା ହଲ୍ ବାହାରକୁ ଆସିଲାବେଳେ ତାଙ୍କୁ ବାଟେଇ ଦେବାକୁ ଆମେ କେତେଜଣ ଉତ୍ସାହୀ ଶ୍ରୋତା ତାଙ୍କ ସହ ଆସିଲୁ। ତାଙ୍କୁ ନେବାକୁ ଆସିଥିବା ତାଙ୍କ ପୁଅ ହଠାତ୍ ମୋ ପାଖକୁ ଚାଲିଆସି କହିଲେ,”ଏଭଳି ଭଣ୍ଡ ଲୋକକୁ ଆପଣମାନେ ବରଦାସ୍ତ କେମିତି କରୁଛନ୍ତି? ସାଧାରଣ ଅଧ୍ୟାପକଟେ ହେଇ ବି ସେ ନିଜକୁ ଜଣେ ଆଇଏଏସ୍ ବୋଲି ଭାବନ୍ତି। ସେ ଚାହିଁଥିଲେ ଆମ ପାଇଁ ବହୁତ କିଛି କରିପାରିଥାଆନ୍ତେ। ହେଲେ କାହାପାଇଁ କିଛି ତ୍ୟାଗ ନ କରି ଫୁଟାଣି ଦେଖେଇବା ପାଇଁ କେବଳ ନିଜ ସ୍ବାର୍ଥରେ ମାତିଲେ। ଆମ ଦି’ଭାଇଙ୍କର ଭାଗ୍ୟରେ ଥିଲା ବୋଲି ଆମେ ଡାକ୍ତର ହେଇପାରିଲୁ। ନ ହେଲେ ସେ କରିଛନ୍ତି କ’ଣ? ଏକଦମ ସ୍ବାର୍ଥପର, ୱର୍ଥଲେସ ଫେଲୋ।“ ଏସବୁ ସ୍ପଷ୍ଟ ଶୁଣୁଥିଲେ ବି ନ ଶୁଣିପାରିଲା ଭଳି ଅଭିନୟ କରି, ବକ୍ତା ମହୋଦୟ ଆଜ୍ଞାଧୀନ ବାପାଟେ ହେଇ ଗାଡିରେ ବସି ପୁଅକୁ ଚାହିଁରହିଲେ।
ସେମାନେ ଯିବା ପରେ ପରେ କୋହ ସମ୍ବରଣ କରି ନ ପାରି ମିଶ୍ର ବାବୁ ଲୁହ ମିଶା ଦୀର୍ଘଶ୍ବାସଟିଏ ଛାଡ଼ିଲେ। ଢୋକେ ପାଣି ପିଇ ସାଷ୍ଟାମ ହୋଇ ବକ୍ତାଙ୍କ ଭାଷଣ ତତ୍ତ୍ବକୁ ଆଗେଇନେଲା ପରି କହିଲେ,”ଲାଗୁଥିଲା, ଭଦ୍ରବ୍ୟକ୍ତି ଜଣକ ଯେମିତି ମୋର କାହାଣୀ କୋଉଠୁ ଶୁଣି ଭାଷଣ ଆକାରରେ ଶୁଣଉଛନ୍ତି। ମୁଁ ହିଁ ସେଇ ଧୃତରାଷ୍ଟ୍ର ଯିଏ ପୁଅ ମୋହରେ ଅନ୍ଧ ହେଇ ଜୀବନଟା ଶାନ୍ତିରେ ଜିଇଁପାରିଲାନି। ଜିଅନ୍ତା ଶବଟେ ପରି ବଞ୍ଚିଥିଲେ ମଧ୍ୟ ଏବେ ବି ସେ ମୋହରୁ ମୁକୁଳିପାରୁନି, ଏଇ ଆଶାରେ ଯେ ହୁଏତ ମୁଁ ମଲାପରେ ସେ ମତେ ପିଣ୍ଡଦାନ କରିବ। ସେ କେମିତି ଭଲ ଚାକିରି କରିବ, ଭଲରେ ରହିବ ବୋଲି ଚିନ୍ତା କରି ମୋ ଝିଅର ଇଚ୍ଛାକୁ ଅଣଦେଖା କରି କେବଳ ତା’ ପାଇଁ ହିଁ ସବୁ ପୁଞ୍ଜି ଅଜାଡ଼ି ଦେଲି। ମୋର ସ୍ବଳ୍ପ ରୋଜଗାର ଭିତରେ ପେଟରୁ କାଟି, ନାନା ଫନ୍ଦିଫିସାଦ କରି ଟଙ୍କା କମେଇ ଘରଖଣ୍ଡକ କଲି। ସେ ଘରଟିକୁ ଭୋଗିବାକୁ ଆମ ଦୁହିଁଙ୍କର ଆଉ ଆୟୁଷ ନାହିଁ। ତାକୁ ସଜେଇବା ପାଇଁ ପାଖରେ ଯଥେଷ୍ଟ ସମ୍ବଳ ନ ଥିଲେ ମଧ୍ୟ ପୁଅର ସବୁ ଇଚ୍ଛା ଓ ଜିଦକୁ ପୂରଣ କରିବାକୁ ବ୍ୟାକୁଳ ଥିବା ଆମେ ମା’ବାପା ଦୁହେଁ ତାକୁ ଖୁସି କରିବାପାଇଁ ଆମର ସମସ୍ତ ଶକ୍ତି ସାମର୍ଥ୍ୟ ଲଗେଇଦେଲୁ। ପରବର୍ତ୍ତୀ ସମୟରେ ସେଇ ଘରକୁ ନାପସନ୍ଦ କରି ସେ ଅନ୍ୟତ୍ର ତା’ ପସନ୍ଦର ଘର କରିବାକୁ ଇଚ୍ଛାକଲା।
କିନ୍ତୁ ମୋ ପାଖ ମାଡ଼ୁନି। ଭବିଷ୍ୟତର ଅନିଶ୍ଚିତ ସୁଖ ଆଶା ପଛରେ ଧାଇଁଧାଇଁ ସବୁ ବର୍ତ୍ତମାନକୁ ତିଳତିଳ ନଷ୍ଟ କରିସାରିବା ପରେ ଏବେ ବୁଝୁଚି ଯେ ସ୍ବାଭାବିକ ସ୍ନେହ ଭଲପାଇବା ଦେଇ କର୍ତ୍ତବ୍ୟ କରିବା ପରିବର୍ତ୍ତେ ଅବାସ୍ତବ ପ୍ରତ୍ୟାଶା ରଖି ମୋହଗ୍ରସ୍ତ ହେଇଯିବା ହିଁ ମୋ ଦୁଃଖର କାରଣ।“
ତାଙ୍କ କାନ୍ଧରେ ହାତ ରଖି ସାନ୍ତ୍ୱନା ଦେବାଭଳି କହିଲି, ନାଇଁ ଆଜ୍ଞା, ଇଏ କେବଳ ଆପଣଙ୍କର ନୁହଁ, ଆଜିକାଲିର ଅଧିକାଂଶ ମା’ବାପାଙ୍କର କାହାଣୀ। ଆମେ ସମସ୍ତେ କେବଳ ଏମିତି ଅକୁହା ଦୁଃଖରେ ଲୁଚିଲୁଚି ଶଢ଼ୁଥିବା ଅଥଚ ସବୁଦିନ ପାଇଁ ଚକ୍ଷୁଷ୍ମାନ ଧୃତରାଷ୍ଟ୍ର ହୋଇ ବଞ୍ଚୁଥିବାର ଦୁର୍ଭାଗ୍ୟ ଭୋଗୁଥିବା।
ହରେକୃଷ୍ଣ ଦାସ
ଅଧ୍ୟାପକ, ଇଂରାଜୀ ବିଭାଗ
ନିଆଳି ମହାବିଦ୍ୟାଳୟ, କଟକ
ମୋ: ୯୮୬୧୩୪୫୬୫୮
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।