ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

Oct 07, 2026 - 08:18
ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ ସମୃଦ୍ଧିର ଉଚ୍ଚତମ ଶିଖର ଛୁଇଁବାର ସ୍ବପ୍ନ ଦେଖୁଛି, ଠିକ୍‌ ସେହି ସମୟରେ କାରିବିଆନ୍‌ ସାଗର କୂଳରେ ଅବସ୍ଥିତ ଏକ କ୍ଷୁଦ୍ର ଦେଶ ହାଇତି ଗମ୍ଭୀର ଖାଦ୍ୟ ସଙ୍କଯର ସମ୍ମୁଖୀନ ହେଉଛି। ନିକଟ ଅତୀତରେ ଧୂଳିଧୂସରିତ ଗଳିରେ ଜଣେ ଅସହାୟ ମାଆ ନିଜ ଶିଶୁ ହାତକୁ ଏକ ମାଟିର ବିସ୍କୁଟ ବଢ଼ାଇ ଦେବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା। ସେହି ଶିଶୁଟି ଖାଦ୍ୟର ଅମୃତ ବୋଲି ଭାବି କଞ୍ଚା ମାଟି, ଲୁଣ ଓ ତେଲରେ ଶୁଖିଥିବା ସେହି ଚେପ୍‌ଟା ମାଟିଖଣ୍ଡକୁ କାମୁଡ଼ି ଖାଉଛି-କେବଳ ଭୋକ ଶାନ୍ତ କରିବା ପାଇଁ। ଏହି ଦୃଶ୍ୟ ସମଗ୍ର ମାନବ ଜାତିର ପ୍ରଗତି, ସାମାଜିକ ନ୍ୟାୟ ଏବଂ ବିବେକ ଉପରେ ଏକ ବିରାଟ ପ୍ରଶ୍ନବାଚୀ।
ଭୋକ କୌଣସି ଜାତି, ଧର୍ମ, ଭାଷା ବା ସୀମା ଜାଣେନାହିଁ। ଭୋକ ହେଉଛି ଜୀବନର ସବୁଠାରୁ ଆଦିମ ଓ କରୁଣ ସତ୍ୟ। କିନ୍ତୁ ଯେତେବେଳେ ସେହି ଭୋକ ମଣିଷକୁ ଧୂଳି-ମାଟି ଚୋବାଇବାକୁ ବାଧ୍ୟକରେ, ସେତେବେଳେ କେବଳ ଗୋଟିଏ ପରିବାର ବା ଗୋଟିଏ ଦେଶ ହାରିଯାଏ ନାହିଁ, ବରଂ ମାନବତାର ସମଗ୍ର ଆତ୍ମା ପରାଜିତ ହୋଇଯାଏ।
ଅଢ଼େଇ ହଜାର ବର୍ଷ ତଳେ ଭଗବାନ ବୁଦ୍ଧ ରାଜପ୍ରାସାଦ ଛାଡ଼ି ବାହାରିଥିଲେ ଦୁଃଖର ସନ୍ଧାନରେ। ସେ ଦେଖିଥିଲେ ଜରା, ବ୍ୟାଧି ଓ ମୃତ୍ୟୁ। ବୁଦ୍ଧ କହିଥିଲେ-‘ସଂସାର ଦୁଃଖମୟ’। କିନ୍ତୁ ସେ କେବଳ ଦୁଃଖର ବ୍ୟାଖ୍ୟା କରି ନ ଥିଲେ, ଦୁଃଖରୁ ମୁକ୍ତି ପାଇଁ ଦେଇଥିଲେ ‘ମହାକରୁଣା’ର ବାର୍ତ୍ତା। ସେ କହିଥିଲେ, ମଣିଷର ଦୁଃଖ ପ୍ରତି ଯଦି ଆମ ହୃଦୟରେ ଦରଦ ନ ଜନ୍ମେ, ତେବେ ଆମର ଜ୍ଞାନ ଓ ଧର୍ମ କେବଳ ଏକ ନିରର୍ଥକ ଭଣ୍ଡାମି। ବୁଦ୍ଧଙ୍କ ଚକ୍ଷୁରେ ଯଦି ଏବେ ଆମେ ହାଇତିର ଦୁଃସ୍ଥିତିକୁ ଦେଖିବା, ତେବେ ବୁଝିପାରିବା ଯେ ସେଠାରେ ଘଟୁଥିବା ଘଟଣା କେବଳ ଖାଦ୍ୟର ଅଭାବ ନୁହେଁ, ତାହା ହେଉଛି ବିଶ୍ୱ ସମୁଦାୟର ‘କରୁଣା ଶୂନ୍ୟତା’। ଯେଉଁ ପୃଥିବୀରେ ପ୍ରତିଦିନ ବହୁ କୋଟି ଟଙ୍କାର ଖାଦ୍ୟ ଅଳିଆଗଦାକୁ ଫିଙ୍ଗିଦିଆଯାଏ, ସେହି ପୃଥିବୀର ଅନ୍ୟ ଏକ କୋଣରେ ଜଣେ ଶିଶୁ ମାଟି ଖାଇ ପେଟ ଭରେ। ଏହା କେବଳ ଅଭାବ ନୁହେଁ, ଏହା ହେଉଛି ଆମର ନୈତିକ ଦେବାଳିଆପଣ। ଯେଉଁଠି ଦରଦ ନାହିଁ, ସେଠାରେ ମାନବତା ବଞ୍ଚତ୍ରହିବା ଅସମ୍ଭବ।
ଯୁବଶକ୍ତି ହେଉଛି ଯେକୌଣସି ଯୁଗର ପରିବର୍ତ୍ତନର ସୂର୍ଯ୍ୟୋଦୟ। ଯୁବକଙ୍କ ଶିରାପ୍ରଶିରାରେ ଥାଏ ଅସହାୟଙ୍କ ପାଖରେ ଠିଆହେବାର ଆବେଗ। କିନ୍ତୁ ଆଜିର ଯୁବପିଢ଼ି ସୋସିଆଲ ମିଡିଆର କ୍ଷଣସ୍ଥାୟୀ ‘ଲାଇକ୍‌’ ଓ ‘କମେଣ୍ଟ’ ଭିତରେ ମଣିଷ ପ୍ରକୃତ ପୃଥିବୀର ଅଶ୍ରୁଳ ଆଖିକୁ ଦେଖିବା ଭୁଲିଯାଉଛି। ହାଇତିିର କରୁଣ ଚିତ୍ର ବିଶ୍ୱର ସମସ୍ତ ଯୁବତୀଯୁବକଙ୍କୁ ଝାଙ୍କିଦେବା ଉଚିତ। ଯୁବସମାଜକୁ ସ୍ବାର୍ଥପର ଉପଭୋକ୍ତାବାଦରୁ ବାହାରି ବିଶ୍ୱ ନାଗରିକ ଭାବେ ଚିନ୍ତା କରିବାକୁ ହେବ। ଅନ୍ନର ଅପଚୟ ରୋକିବା, ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନକରିବା ଏବଂ ବିଶ୍ୱର ଯେକୌଣସି ସ୍ଥାନରେ ଘଟୁଥିବା ଅମାନବୀୟତା ବିରୋଧରେ ସହାନୁଭୂତିର ସେତୁ ଗଢ଼ିବା ଯୁବପିଢ଼ିର ଧର୍ମ ହେବା ଆବଶ୍ୟକ।
ସମାଜର ମୂଳଦୁଆ ପରସ୍ପର ଉପରେ ନିର୍ଭରଶୀଳ। ଆଫ୍ରିକାର ଏକ ସୁନ୍ଦର ଦର୍ଶନ ରହିଛି-‘ଉବୁଣ୍ଟୁ’, ଯାହାର ଅର୍ଥ: ‘ମୁଁ ଅଛି, କାରଣ ଆମେ ସମସ୍ତେ ଅଛୁ’। ଭାରତୀୟ ସଂସ୍କୃତି କହେ-‘ବସୁଧୈବ କୁଟୁମ୍ବକମ’ (ସମଗ୍ର ପୃଥିବୀ ଗୋଟିଏ ପରିବାର)। ଯଦି ପୃଥିବୀ ଏକ ପରିବାର, ତେବେ ସେହି ପରିବାରର ଗୋଟିଏ ଭାଇ ବା ଭଉଣୀ ଭୋକରେ ମାଟି ଚୋବାଉଥିବା ବେଳେ ଆମେ ନିଜକୁ କିପରି ସଭ୍ୟ ବୋଲି ଦାବି କରିପାରିବା? ଦାର୍ଶନିକ ଦୃଷ୍ଟିକୋଣରୁ ବିଚାରକଲେ, ମଣିଷ ମାଟିରୁ ଜନ୍ମ ନେଇଛି ଏବଂ ଶେଷରେ ମାଟିରେ ମିଶିବ। ମାଟି ହେଉଛି ଧରିତ୍ରୀ ମାତା, ଯିଏ ଶସ୍ୟ ପ୍ରଦାନକରି ଆମକୁ ପାଳନ କରେ। କିନ୍ତୁ ମଣିଷ ଯେତେବେଳେ ସେହି ମାଟିକୁ ଶସ୍ୟ ଉତ୍ପାଦନ ପାଇଁ ନୁହେଁ, ବରଂ ଅନ୍ନର ବିକଳ୍ପ ଭାବେ ପାଟିରେ ପୂରାଏ, ସେତେବେଳେ ପ୍ରକୃତି ଓ ମାନବିକତାର ସନ୍ତୁଳନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼େ। ସାମାଜିକ ନ୍ୟାୟ ସେତେବେଳେ ମରିଯାଏ, ଯେତେବେଳେ ଧନୀର ଅତିରିକ୍ତ ବିଳାସ ଦରିଦ୍ରର ମୌଳିକ ଅଧିକାରକୁ ଛଡ଼ାଇନିଏ।
ହାଇତିର ଏହି ଦୁର୍ଦ୍ଦଶା ଭାଗ୍ୟର ଦୋଷ ନୁହେଁ, ମଣିଷ ସୃଷ୍ଟି କରିଥିବା ଏକ ଐତିହାସିକ ଅପରାଧ। ଏହା ପଛରେ ରହିଛି ସାମ୍ରାଜ୍ୟବାଦ, ଅର୍ଥନୈତିକ ଶୋଷଣ ଏବଂ ସ୍ବାର୍ଥପର ରାଜନୀତିର କଳଙ୍କିତ କାହାଣୀ। ୧୮୦୪ରେ ସ୍ବାଧୀନତା ପାଇବା ପରେ ହାଇତି ଉପରେ ଫ୍ରାନ୍ସ ଦ୍ୱାରା ଲଦିଦିଆଯାଇଥିବା ଅସମ୍ଭବ କ୍ଷତିପୂରଣର ଋଣ ଦେଶର ମେରୁଦଣ୍ଡ ଭାଙ୍ଗିଦେଇଥିଲା। ଯେଉଁ ଅର୍ଥ ବିଦ୍ୟାଳୟ, ଡାକ୍ତରଖାନା ଓ କୃଷିର ବିକାଶରେ ଲାଗିବା କଥା, ତାହା ୧୦୦ ବର୍ଷରୁ ଅଧିକ ସମୟ ଧରି ବିଦେଶୀ ବ୍ୟାଙ୍କଗୁଡ଼ିକୁ ଭରିବାରେ ଚାଲିଗଲା। ୧୯୮୦ ଦଶକରେ ଅନ୍ତର୍ଜାତୀୟ ଚାପରେ ଆମଦାନୀ ଶୁଳ୍କ କମାଇ ବିଦେଶୀ ଶସ୍ତା ଚାଉଳ ହାଇତି ବଜାରରେ ଭର୍ତ୍ତି କରାଗଲା। ଏହାର କୁପରିଣାମରେ ହାଇତିର କୃଷକମାନେ ଧ୍ୱଂସ ହୋଇଗଲେ। ଯେଉଁ ଦେଶ ନିଜେ ଖାଦ୍ୟ ଉତ୍ପାଦନ କରୁଥିଲା, ତାହା ସମ୍ପୂର୍ଣ୍ଣ ରୂପେ ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳ ହୋଇଗଲା।
ଦୁର୍ନୀତିଗ୍ରସ୍ତ ନେତୃତ୍ୱ ଏବଂ ଆଇନଶୃଙ୍ଖଳାର ଅଭାବ ହାଇତିକୁ ସଶସ୍ତ୍ର ଅପରାଧୀଙ୍କ ହାତକୁ ଠେଲି ଦେଇଛି। ଖାଦ୍ୟ ସାମଗ୍ରୀ ରାସ୍ତାରେ ଲୁଟ୍‌ ହେଉଛି, ବନ୍ଦର ବନ୍ଦ ହୋଇପଡ଼ିଛି ଏବଂ ସାଧାରଣ ନାଗରିକ ବନ୍ଧୁକର ଭୟ ଓ ଭୋକର ଜ୍ୱାଳା ମଧ୍ୟରେ ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ରାଜନୀତି ଯେତେବେଳେ ଲୋକଙ୍କ ସେବା ଛାଡ଼ି କ୍ଷମତାର ଲୋଭରେ ପରିଣତ ହୁଏ ଏବଂ ଅର୍ଥନୀତି ଯେତେବେଳେ ନ୍ୟାୟ ଛାଡ଼ି ଶୋଷଣର ହତିଆର ପାଲଟେ, ସେତେବେଳେ ଫଳାଫଳ ଏହିପରି ହୁଏ-ନିରୀହ ଶିଶୁମାନଙ୍କ ହାତକୁ ଅନ୍ନ ବଦଳରେ ମାଟିର ଗୁଳା ଟେକିଦିଆଯାଏ। ହାଇତିର ଏହି ଦାରୁଣ ଚିତ୍ର ଆମ ସମସ୍ତଙ୍କ ପାଇଁ ବଡ଼ ଚେତାବନୀ। ଏଥିରୁ ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଗ୍ରହଣ କରିବାକୁ ହେବ। ଆମ ଥାଳିରେ ଥିବା ପ୍ରତିଟି ଭାତ ଦାନା ଜଣେ କୃଷକର ଝାଳ ଏବଂ ପ୍ରକୃତିର ଆଶୀର୍ବାଦ। ଖାଦ୍ୟକୁ ଅପଚୟ କରିବା ଅର୍ଥ ପରୋକ୍ଷରେ ସେହି ଅସହାୟ ଭୋକିଲା ମଣିଷଙ୍କ ପ୍ରତି ଅପମାନ କରିବା।
ରାଜନୈତିକ ଅସ୍ଥିରତା ଏବଂ ହିଂସା କେବଳ ସରକାର ଭାଙ୍ଗେ ନାହିଁ, ତାହା ସାଧାରଣ ଜନତାଙ୍କ ପାଟିରୁ ଅନ୍ନ ଛଡ଼ାଇ ନିଏ। ଶାନ୍ତି ନ ଥିଲେ ସମୃଦ୍ଧି କେବେ ଆସିପାରିବ ନାହିଁ। ସମୟ ଆସିଛି, ବିଶ୍ୱ ନେତୃବୃନ୍ଦ ଏବଂ ମିଳିତ ଜାତିସଂଘ ନିଜର ଦାୟିତ୍ୱକୁ କାଗଜପତ୍ରରେ ସୀମିତ ନ ରଖି କାର୍ଯ୍ୟରେ ପ୍ରମାଣିତ କରନ୍ତୁ। ପ୍ରକୃତ ସହାୟତା, ଦାନ ନୁହେଁ: ହାଇତିକୁ କେବଳ ସାମୟିକ ରିଲିଫ୍‌ ବା ଦାନର ଆବଶ୍ୟକତା ନାହିଁ; ତାକୁ ଆବଶ୍ୟକ ତା’ର ଭିତ୍ତିଭୂମିର ପୁନରୁଦ୍ଧାର, କୃଷିକ୍ଷେତ୍ରର ସଶକ୍ତୀକରଣ ଏବଂ ସୁରକ୍ଷିତ ଶାସନ ବ୍ୟବସ୍ଥା। ଶହ ଶହ ବର୍ଷ ଧରି ଯେଉଁ ଧନୀ ରାଷ୍ଟ୍ରମାନେ ଦୁର୍ବଳ ଦେଶମାନଙ୍କୁ ଶୋଷଣକରି ନିଜର ପ୍ରାସାଦ ଗଢ଼ିଛନ୍ତି, ସେମାନଙ୍କର ନୈତିକ କର୍ତ୍ତବ୍ୟ ହେଉଛି ସେହି ଶୋଷିତ ଦେଶଗୁଡ଼ିକ ପୁନର୍ନିର୍ମାଣରେ ସହାୟକ ହେବା।
ବିଶ୍ୱରେ ଆଜି ଯୁଦ୍ଧ ଓ ମାରଣାସ୍ତ୍ର ନିର୍ମାଣ ପାଇଁ ଯେଉଁ ବିପୁଳ ଧନରାଶି ଖର୍ଚ୍ଚ ହେଉଛି, ତା’ର ଏକ କ୍ଷୁଦ୍ର ଅଂଶ ଯଦି ବିଶ୍ୱ କ୍ଷୁଧା ନିବାରଣରେ ବିନିଯୋଗ କରାଯାଆନ୍ତା, ତେବେ ପୃଥିବୀର କୌଣସି ଶିଶୁକୁ ମାଟି ଖାଇବାକୁ ପଡ଼ନ୍ତା ନାହିଁ। ଯେପର୍ଯ୍ୟନ୍ତ ଜଣେ ବି ଶିଶୁ ଅନ୍ନ ଅଭାବରୁ ମାଟି ଚୋବାଇ ପେଟ ଭରୁଛି, ସେପର୍ଯ୍ୟନ୍ତ ଆମର ସମସ୍ତ ବିଜ୍ଞାନ, ଦର୍ଶନ ଏବଂ ସଭ୍ୟତା ଅସମ୍ପୂର୍ଣ୍ଣ ଓ ଲଜ୍ଜିତ। ମାଟି ହେଉଛି ଫସଲ ଫଳାଇବା ପାଇଁ, ତାହା ମଣିଷର ଖାଦ୍ୟ ହେବା ପାଇଁ ନୁହେଁ। ଆସନ୍ତୁ, ଆମେ ପ୍ରତ୍ୟେକେ ଅନ୍ନର ସମ୍ମାନ କରିବା, ଅପଚୟ ରୋକିବା ଏବଂ ଆମ ହୃଦୟରେ ସେହି କରୁଣାର ଦୀପଟିକୁ ଜଳାଇ ରଖିବା-ଯାହା ଏହି ସମଗ୍ର ପୃଥିବୀରୁ କ୍ଷୁଧାର ଅନ୍ଧକାରକୁ ଦୂରକରି ପ୍ରତ୍ୟେକ ମୁହଁରେ ହସ ଏବଂ ପ୍ରତ୍ୟେକ ଥାଳିରେ ଅନ୍ନ ପହଞ୍ଚାଇ ପାରିବ।

ମନୋଜ କୁମାର ଶତପଥୀ
ମୋ: ୯୯୩୮୫୫୯୫୬୮


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।