ଚମାଖଣ୍ଡି ଛକରେ ସିରିଜ୍ ଦୁର୍ଘଟଣା: କାର୍-ଟ୍ରକ୍ ଧକ୍କାରେ ମହିଳା ମୃତ, ୧୦ ଗୁରୁତର
ଛତ୍ରପୁର,୧୪ା୧୦(ଦ୍ଵାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ୧୬ ନଂ ଜାତୀୟ ରାଜପଥରେ ବୁଧବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମ୍କେସିଜି ଚିକିତ୍ସାଳୟକୁ ପଠାଇଛନ୍ତି ।
ସୂଚନା ଅନୁଯାୟୀ, ଚମାଖଣ୍ଡି ଛକ ନିକଟରେ ଏକ କାର୍ ଓ ଟ୍ରକ୍ ମଧ୍ୟରେ ପ୍ରଥମେ ଧକ୍କା ହୋଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଏକାଧିକ ଦୁଇଚକିଆ ଯାନ ଓ ସାଇକେଲକୁ ଧକ୍କା ଦେବାରୁ ସିରିଜ୍ ଦୁର୍ଘଟଣା ଘଟିଥିଲା। ଏଥିରେ ଅନେକ ବାଇକ୍ ଆରୋହୀ ଆହତ ହୋଇଥିଲେ । ଦୁର୍ଘଟଣାରେ ବ୍ରହ୍ମପୁରର ରୋଜାଲିନ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।
ଖବର ପାଇ ଗଞ୍ଜାମ ଏସ୍ପି ହରିଶ ବି. ସି. , ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଏସଡିପିଓ ଚନ୍ଦନ ଘଡ଼ାଇ, ସିପିଆଇ ନେତା ଦୁର୍ଯ୍ୟୋଧନ ନାହାକ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଆର୍. ସନ୍ତୋଷ ରେଡ୍ଡୀ, ସରପଞ୍ଚ ସିଏଚ୍. ମନୋଜ କୁମାର ରେଡ୍ଡୀ, ସିପିଆଇ ଜିଲା ସହସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ବନୋଜ ନାହାକ ଓ କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ସମେତ ବହୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ସେମାନେ ପୋଲିସ ଓ ପ୍ରଶାସନ ସହ ଆଲୋଚନା କରି ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଦୁର୍ଘଟଣା ରୋକିବା ପାଇଁ ଓଭରବ୍ରିଜ୍ ନିର୍ମାଣ, ଜାତୀୟ ରାଜପଥରେ ପୋଲିସ ମୁତୟନ ଏବଂ ବ୍ୟାରିକେଡ୍ ବ୍ୟବସ୍ଥା କରିବା ନେଇ ଦାବି ଉପସ୍ଥାପନ କରିଥିଲେ। ପୋଲିସ ଓ ପ୍ରଶାସନ ସହ ଆଲୋଚନା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ହଟାଇଥିଲେ। ଫଳରେ ୧୬ ନଂ ଜାତୀୟ ରାଜପଥରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।