ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

Sep 11, 2026 - 22:02
ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ଯୋଗୁଁ ଗୁଡ଼ାରିଠାରେ ବଂଶଧାରା ଫୁଲି ଉଠିଛି। ଶୁକ୍ରବାର ରାତିରେ ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ନଦୀରେ ଆହୁରି ଅଧିକ ଜଳ ପ୍ରବାହିତ ହୋଇ ଗୁଡ଼ାରି ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।

ଏଭଳି ସ୍ଥିତି ଉପୁଜିଲେ ନଦୀକୂଳିଆ ଅଞ୍ଚଳରେ ଧାନ, କପା ଓ ପନିପରିବା ଚାଷ ପ୍ରଭାବିତ ହେବା ସହ ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହେବେ। ବ୍ଲକର ଖାରିଗୁଡ଼ା, ଅସଡ଼ା, ମଧୁବନ ଏବଂ ସାନହୁମା ଗ୍ରାମପଞ୍ଚାୟତ ଅଞ୍ଚଳର ଚାଷ ଓ ଚାଷୀ ଅଧିକ ପ୍ରଭାବିତ ହେବେ ବୋଲି ଚାଷୀମାନେ କହିଛନ୍ତି।

ଏହାଛଡ଼ା ବଂଶଧାରାରେ ଅଧିକ ବନ୍ୟାଜଳ ପ୍ରବାହିତ ହେଲେ ଗୁଡ଼ାରି ସହରର କେତେକ ସାହି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ସହରର ଡ୍ରେନେଜ ବ୍ୟବସ୍ଥା ସୁଦୃଢ଼ ନ ଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇପାରେ। ସହରର ଅନେକ ଡ୍ରେନର ପାଣି ବଂଶଧାରା ନଦୀରେ ପଡ଼ିଥାଏ। ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ନଦୀଜଳ ଡ୍ରେନ୍‌ ଦେଇ ସହର ମଧ୍ୟକୁ ପ୍ରବେଶ କରିବାର ଆଶଙ୍କା ରହିଛି।

ସୂଚନା ଅନୁଯାୟୀ, ଗୁଡ଼ାରିରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨.୮ ମିମି ବର୍ଷା ହୋଇଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରୁ ଶୁକ୍ରବାର ପୂର୍ବାହ୍ନ ୮ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ୩୯.୪ ମିମି ବର୍ଷା ହୋଇଥିବା ସ୍ଥାନୀୟ ସିଡବ୍ଲ୍ୟୁସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ରାତିରେ ମଧ୍ୟ ନଦୀର ଉପରମୁଣ୍ଡରେ ବର୍ଷା ହେବାର ଆଶଙ୍କା ଥିବାରୁ ବଂଶଧାରାର ଜଳସ୍ତର ଆହୁରି ବୃଦ୍ଧି ପାଇବା ନେଇ ଚିନ୍ତା ପ୍ରକାଶ ପାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।