ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

Sep 11, 2026 - 22:02
ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଭାରତୀୟ ଦଳ ପ୍ରସ୍ତୁତ ଥିବା ବେଳେ ବାମହାତୀ ବ୍ୟାଟର ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ତେବେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଦଳର କମ୍ବିନେସନ୍‌କୁ ନେଇ ତିଲକଙ୍କ ବ୍ୟାଟିଂ ସ୍ଥାନ (ପୋଜିସନ୍) ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେଉଁ ନମ୍ବରରେ ବ୍ୟାଟିଂ କରିବେ ତିଲକ?

ଦଳରେ ଅନେକ ତାରକା ଏବଂ ନୂଆ ଖେଳାଳିଙ୍କ ଉପସ୍ଥିତି ଯୋଗୁ ଚୂଡ଼ାନ୍ତ ଏକାଦଶ ବାଛିବା ଚୟନକର୍ତ୍ତା ଓ ଅଧିନାୟକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଶ୍ରେୟସ ଆୟର, ଇଶାନ କିଷାନ, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ବ୍ୟାଟର ଏବଂ ଅଲରାଉଣ୍ଡର ଦଳରେ ରହିଛନ୍ତି। ଏଭଳି ସ୍ଥିତିରେ ତିଲକ ବର୍ମା କେଉଁ ନମ୍ବରରେ ବ୍ୟାଟିଂ କରିବେ, ତାହା ଅସ୍ପଷ୍ଟ ରହିଛି। ଗତ କିଛି ସିରିଜ୍‌ରେ ସେ ୫ମ ନମ୍ବରରେ ବ୍ୟାଟିଂ କରୁଥିବାରୁ, ଏହି ସିରିଜ୍‌ରେ ମଧ୍ୟ ସେହି ସ୍ଥାନରେ ଖେଳିବାର ସମ୍ଭାବନା ଅଧିକ ରହିଛି।

ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ବ୍ୟାଟର ଏବି ଡିଭିଲିୟର୍ସ ମଧ୍ୟ ତିଲକଙ୍କ ବ୍ୟାଟିଂ ପୋଜିସନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସେ କହିଛନ୍ତି ଯେ, “ଟିମ୍‌ରେ ବ୍ୟାଟରଙ୍କ ଚୟନକୁ ନେଇ ନିଶ୍ଚିତ ସମସ୍ୟା ହେବ। ଶ୍ରେୟସ, ଇଶାନ, ସାମସନ, ସୂର୍ଯ୍ୟବଂଶୀ ଏବଂ ତିଲକଙ୍କ ଭଳି ଖେଳାଳି ଥିବାରୁ ଦଳରେ ସନ୍ତୁଳନ ରଖିବା କଷ୍ଟକର। ତିଲକ ପ୍ରକୃତରେ କେଉଁ ନମ୍ବରରେ ବ୍ୟାଟିଂ କରିବେ?”

ଟି-୨୦ ଫର୍ମକୁ ନେଇ ପ୍ରଶ୍ନ ଉଠୁଥିଲେ ବି ତିଲକ ସାମ୍ପ୍ରତିକ ଦୁଲୀପ ଟ୍ରଫି ୨୦୨୬ରେ ଚମତ୍କାର ଫର୍ମରେ ଅଛନ୍ତି। ସାଉଥ୍ ଜୋନ୍‌ର ଅଧିନାୟକତ୍ୱ କରି ସେ ନର୍ଥ ଜୋନ୍ ବିପକ୍ଷ ସେମିଫାଇନାଲରେ ଅପରାଜିତ ୧୧୬ ଏବଂ ୫୧ ରନ୍‌ର ମ୍ୟାଚ୍ ବିଜୟୀ ପାରି ଖେଳିଥିଲେ। ଏହାପରେ ଇଷ୍ଟ ଜୋନ୍ ବିପକ୍ଷ ଫାଇନାଲରେ ମଧ୍ୟ ସେ ୯୯ ରନ୍ କରିଥିଲେ। ଏବେ ଅଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ ନିଜର ଏହି ଦମଦାର ଫର୍ମ ବଜାୟ ରଖିବାକୁ ଲକ୍ଷ୍ୟ ରଖିବେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।