ଚାଞ୍ଚଲ୍ୟ… ସ୍ବର୍ଣ୍ଣ ବିଜେତା ନୀରଜଙ୍କ ଆତ୍ମହତ୍ୟା! ପାରା ଆଥଲେଟିକ୍ସ ଜଗତରେ ଶୋକର ଛାୟା
ନୂଆଦିଲ୍ଲୀ,୨୮।୧୦: ଭାରତୀୟ ପାରା ଆଥଲେଟିକ୍ସ ଜଗତକୁ ସ୍ତବ୍ଧ କରିଦେଇଛି ତିନିଥର ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ ଖବର । ୪୨ ବର୍ଷୀୟ ଏହି ଖେଳାଳି ମଙ୍ଗଳବାର ରାତିରେ ନିଜ ଫ୍ଲାଟ୍ରେ ବିଷାକ୍ତ ପଦାର୍ଥ ସେବନ କରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ପରିସ୍ଥିତି ସମ୍ପର୍କରେ ତଦନ୍ତ ପରେ ହିଁ ସ୍ପଷ୍ଟତା ଆସିବ।ଭାରତୀୟ ପାରା ଆଥଲେଟିକ୍ସର ମୁଖ୍ୟ ପ୍ରଶିକ୍ଷକ ଏସ୍. ସତ୍ୟନାରାୟଣ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ନୀରଜଙ୍କ ମୃତ୍ୟୁ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ସେ କହିଛନ୍ତି । ପାରାଲିମ୍ପିକ୍ସ ଚାମ୍ପିଅନ୍ ସୁମିତ ଅନ୍ତିଲ ଏବଂ ସାଥୀ ପାରା ଆଥଲେଟ୍ ବିପିନ କସାନା ଡାକ୍ତରଖାନାରେ ଉପସ୍ଥିତ ଥିବା ସୂଚନା ମିଳିଛି।
କୋଚ୍ ସତ୍ୟନାରାୟଣଙ୍କ କହିବା ଅନୁଯାୟୀ, ଡୋପିଂ ମାମଲାରେ ନିଲମ୍ବନ ଯୋଗୁଁ ନୀରଜ ଆଗାମୀ ଏସୀୟ ପାରା ଗେମ୍ସରେ ଭାଗ ନେଇପାରି ନ ଥାଆନ୍ତେ । ଏହା ତାଙ୍କୁ ମାନସିକ ଭାବେ ପ୍ରଭାବିତ କରିଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏସୀୟ ପାରା ଗେମ୍ସରେ ପଦକ ଜିତିଲେ ଖେଳାଳିଙ୍କୁ ସରକାରଙ୍କ ପକ୍ଷରୁ ଉଲ୍ଲେଖନୀୟ ଆର୍ଥିକ ପୁରସ୍କାର ସହ ସ୍ଥାୟୀ ନିଯୁକ୍ତିର ସୁଯୋଗ ମିଳିଥାଏ। ତେବେ ଏହି କାରଣ ନୀରଜଙ୍କ ମୃତ୍ୟୁ ପଛରେ ରହିଛି ବୋଲି ଏଯାଏଁ କୌଣସି ନିଶ୍ଚିତ ତଥ୍ୟ ମିଳିନାହିଁ। ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣାପଡ଼ିବ।
ଉତ୍ତରପ୍ରଦେଶର ବାସିନ୍ଦା ନୀରଜ ଯାଦବ ଭାରତର ଜଣେ ପ୍ରତିଷ୍ଠିତ ପାରା ଆଥଲେଟ୍ ଥିଲେ। ମାତ୍ର ୭ ବର୍ଷ ବୟସରେ ସେ ପୋଲିଓ ପରବର୍ତ୍ତୀ ପକ୍ଷାଘାତର ଶିକାର ହୋଇଥିଲେ। ତଥାପି ସେ କ୍ରୀଡ଼ା କ୍ଷେତ୍ରରେ ନିଜ ସ୍ୱପ୍ନକୁ ଛାଡ଼ି ନ ଥିଲେ। ପାରା ଆଥଲେଟିକ୍ସରେ ଯୋଗଦେବା ପୂର୍ବରୁ ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ସେ ହ୍ୱିଲ୍ଚେୟାର ଟେନିସ୍ ଖେଳୁଥିଲେ। ନୀରଜ ୨୦୨୩ରେ ଚାଇନାର ହାଙ୍ଗଝୋଉଠାରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଜାଭେଲିନ୍ ଥ୍ରୋ ଏବଂ ଡିସ୍କସ୍ ଥ୍ରୋରେ ତାଙ୍କର ଏହି ସଫଳତା ସହ ଏସୀୟ ପାରା ଗେମ୍ସରେ ତାଙ୍କର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।