ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍
ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ସହ ଦୁର୍ବ୍ୟବହାର, ମାଡ଼ପିଟ ଏବଂ ପରେ ପୋଲିସ ତାଙ୍କୁ ଥାନାକୁ ନେଇଯିବା ଅଭିଯୋଗକୁ ନେଇ ଘଟଣାଟି ରାଜ୍ୟ ସହ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଏହି ଘଟଣାରେ ନ୍ୟାୟ ଓ ନିରପେକ୍ଷ ତଦନ୍ତ ଦାବି ନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ହୋଇଥିବା ବେଳେ, କମିଶନଙ୍କ ଏକ ତିନି ଜଣିଆ ଟିମ ମହାକାଳପଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଜୁନ ୧୧ରେ ଚାମେଲୀ ନିଜ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ସହ ଆଲୋଚନା କରୁଥିଲେ। ସେତେବେଳେ ବିଡିଓ ଚାମ୍ବରରେ କିଛି ଜନପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।
ଅଭିଯୋଗ ଅନୁଯାୟୀ, ଆଲୋଚନା ସମୟରେ ଚାମେଲୀଙ୍କ ଭାଇ କାର୍ଯ୍ୟାଳୟ ଭିତରେ ଭିଡିଓ ରେକର୍ଡିଂ କରୁଥିଲେ। ଏହାକୁ ନେଇ କିଛି ଯୁବକ ବିରୋଧ କରିବା ସହ ଯୁକ୍ତିତର୍କ ହୋଇଥିଲା। ପରେ କାର୍ଯ୍ୟାଳୟ ବାହାରେ ବିବାଦ ଉଗ୍ର ରୂପ ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ଚାମେଲୀଙ୍କୁ ଥାନାକୁ ନେଇଥିଲା। ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଉଭୟ ପକ୍ଷରୁ ପରସ୍ପର ବିରୋଧରେ ଅଭିଯୋଗ ଦାଖଲ ହୋଇଥିଲା। ଘଟଣାକୁ ନେଇ ଉଭୟ ପକ୍ଷର ଅଭିଯୋଗ ଆଧାରରେ ୧୭୦/୧୭୧/୧୭୨-୨୬ ନମ୍ବରରେ ପୃଥକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ଚାମେଲୀଙ୍କ ପକ୍ଷରୁ ବିଡିଓ, ପୋଲିସ ଏବଂ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିବା ଯୁବକମାନଙ୍କ ବିରୋଧରେ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଚାମେଲୀଙ୍କୁ ନ୍ୟାୟ ଦେବା ଏବଂ ଘଟଣାର ଉପଯୁକ୍ତ ତଦନ୍ତ ଦାବିରେ ଜଣେ ସାମାଜିକ କର୍ମୀଙ୍କ ପକ୍ଷରୁ ଦିଲ୍ଲୀସ୍ଥିତ ଜାତୀୟ ମାନବାଧିକାର କମିଶନରେ ମାମଲା ଦାଖଲ ହୋଇଥିଲା।
ଏହି ମାମଲାର ତଦନ୍ତ ପାଇଁ କମିଶନଙ୍କ ପକ୍ଷରୁ ତିନି ଜଣିଆ ବରିଷ୍ଠ ଅଧିକାରୀଙ୍କ ଟିମ ସୋମବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ସର୍କିଟ ହାଉସରେ ପହଞ୍ଚିଥିଲେ। ମଙ୍ଗଳବାର ସକାଳେ ଟିମ ମହାକାଳପଡ଼ା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ଟିମ୍ରେ ଇସାମ ସିଂ, ଗୁଗୁନ ରାମ ଓ ଶଶୀବାଲା ଶର୍ମା ଥିବା ଜଣାପଡ଼ିଛି। ତଦନ୍ତ ସମୟରେ ଘଟଣାସ୍ଥଳର CCTV ଫୁଟେଜ, ଘଟଣା ସମୟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ବୟାନ ଏବଂ ସମ୍ପୃକ୍ତ ଯୁବକମାନଙ୍କ ବିଷୟରେ ତଥ୍ୟ ଯାଞ୍ଚ କରାଯିବା ସମ୍ଭାବନା ରହିଛି। ଏହାସହ ବିଡିଓ, ପୋଲିସ ଅଧିକାରୀ, ମେଡିକାଲ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।
ତଦନ୍ତ ସମୟରେ ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ପୂର୍ବତନ ଥାନା ଅଧିକାରୀ ମାନସ କୁମାର ମଲିକ ଏବଂ ମହାକାଳପଡ଼ା ଥାନା ଅଧିକାରୀ ବନ୍ଦନା ପାତ୍ର ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଟିମକୁ ସହଯୋଗ କରୁଛନ୍ତି। ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ରୁ ତଦନ୍ତ ପରେ କେଉଁ ରିପୋର୍ଟ ଆସୁଛି ଏବଂ ଘଟଣାରେ କେଉଁ ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଘଟଣାକୁ ନେଇ ମହାକାଳପଡ଼ା ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜାରି ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।