ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

Sep 27, 2026 - 22:57
ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ ବର୍ଷା ସହିତ ସେଠାକାର ବିଭିନ୍ନ ଡ୍ୟାମ ଓ ବ୍ୟାରେଜରେ ବର୍ଷାଜଳ ନିଷ୍କାସନ କରାଯାଉଛି। ଫଳରେ ମହାନଦୀ ଓ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ଜଳଭଣ୍ଡାର ପଛୁଆ ପାଣି ରବିବାର ସନ୍ଧ୍ୟା ସୁଦ୍ଧା ଅମ୍ବାଭୋନା ବ୍ଲକର ଚିଖିଲି ସମେତ ଅନ୍ତରାଡ଼ି, ଗଣ୍ଠିଆପାଲି, ଘୁଘୁରାପାଲି, ବେନିଆଁପାଲି ଓ ବଡ଼ମାଲ ଆଦି ଅଞ୍ଚଳକୁ ପ୍ରବେଶ କରିଛି।

ଏହାର ପ୍ରଭାବରେ ଅଞ୍ଚଳର ଶହ ଶହ ଏକର ଚାଷଜମି ପାଣି ଘେରରେ ରହିଛି। ଧାନବିଲରେ ପ୍ରାୟ ୫ ଫୁଟ ପର୍ଯ୍ୟନ୍ତ ବନ୍ୟାଜଳ ପ୍ରବାହିତ ହେଉଛି। ଧାନ ଫସଲ ସମେତ ବାଇଗଣ, ପୋଟଳ, ଅଦା, ଧନିଆପତ୍ର, ଲଙ୍କା, ଭେଣ୍ଡି ଓ କଲରା ଭଳି ବିଭିନ୍ନ ପନିପରିବା ଚାଷ ପାଣିରେ ବୁଡ଼ି ରହିଛି । ଏହାକୁ ନେଇ ଅଞ୍ଚଳବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏଥିରେ ମତ୍ସ୍ୟଜୀବୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳରେ ମାଛଧରା ଜାଲ ଓ ଡଙ୍ଗା ଭାସିଯାଇଥିବା ବେଳେ ଚିଖିଲି ବନ୍ଧ, ପୋଖରୀ ଓ ଗାଡ଼ିଆରେ ପାଣି ପଶିଯିବାରୁ ମାଛଚାଷୀଙ୍କ ମଧ୍ୟରେ ମଧ୍ୟ କ୍ଷୟକ୍ଷତି ନେଇ ଆଶଙ୍କା ପ୍ରକାଶ ପାଇଛି।

ପାଣିର ମାତ୍ରା କ୍ରମଶଃ ବଢୁଥିବାରୁ ବିପଦ ଆଶଙ୍କା ଥିବା ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ମେହେର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ପଧାନ, ବ୍ଲକ ଯୋଗାଣ ଅଧିକାରୀ ପ୍ରଭାତ ପ୍ରଦୀପ୍ତ, ଭୋଇନାତୁରା ସରପଞ୍ଚ ବିଜୟଲକ୍ଷ୍ମୀ ଦେହେରୀ, ଅମ୍ବାଭୋନା ଥାନା ଅଧିକାରୀ ସୌରଭ ଭୋଇ, ସିଡିପିଓ ମାଳତୀ ନାୟକଙ୍କ ସମେତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ।

ବିପଦ ଆଶଙ୍କା ଥିବା ଅଞ୍ଚଳରୁ ଗ୍ରାମବାସୀଙ୍କୁ ଉଦ୍ଧାର କରି ଗଣ୍ଠିଆପାଲିସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେଠାରେ ରନ୍ଧା ଖାଦ୍ୟ ଯୋଗାଣ ସହ ପାନୀୟଜଳ ଓ ଆବଶ୍ୟକ ସୁବିଧା କରାଯାଇଛି। ୨ଜଣ ଗର୍ଭବତୀଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବୟସ୍କ, ବୃଦ୍ଧାବୃଦ୍ଧ, ମହିଳା ଓ ଛୋଟ ଶିଶୁମାନଙ୍କ ପାଇଁ ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ହୋଇଛି। ସେହିପରି ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।