ଚୋରା ମଦ ବ୍ୟବସାୟ ବନ୍ଦ ପାଇଁ ନୋଟିସବେଳେ ମହିଳାଙ୍କୁ ଆକ୍ରମଣ ଅଭିଯୋଗ: ଥାନା ଘେରିଲେ ଶତାଧିକ ମହିଳା

Oct 16, 2026 - 08:13
ଚୋରା ମଦ ବ୍ୟବସାୟ ବନ୍ଦ ପାଇଁ ନୋଟିସବେଳେ ମହିଳାଙ୍କୁ ଆକ୍ରମଣ ଅଭିଯୋଗ: ଥାନା ଘେରିଲେ ଶତାଧିକ ମହିଳା

ଦାରିଙ୍ଗବାଡ଼ି, ୧୬।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୋନପୁର ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବନ୍ଦ କରିବାକୁ ନୋଟିସ ଦେବା ସମୟରେ ମଦ ବ୍ୟବସାୟରେ ସମ୍ପୃକ୍ତ ଜଣେ ଯୁବକ ମହିଳାମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶତାଧିକ ମହିଳା ଦାରିଙ୍ଗବାଡ଼ି ଥାନା ଘେରାଉ କରିବା ସହ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଆନ୍ଦୋଳନ ସ୍ଥଗିତ ରଖିଥିଲେ।

ସୂଚନା ଅନୁଯାୟୀ, ସୋନପୁର ଅଞ୍ଚଳରେ ବେଧଡ଼କ ଚୋରା ଦେଶୀ ମଦ କାରବାରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଥିଲା। ଏହି କାରବାର ଯୋଗୁ ଗରିବ ପରିବାରଗୁଡ଼ିକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ସହ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିବା ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଥିଲେ।

ବୁଧବାର ଗ୍ରାମରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଅନ୍ୟାନ୍ୟ ସମସ୍ୟା ନେଇ ଏକ ବୈଠକ ବସିଥିଲା। ଏଥିରେ ସୋନପୁରକୁ ନିଶାମୁକ୍ତ କରିବା ପାଇଁ ଗ୍ରାମବାସୀ ଆଲୋଚନା କରିଥିଲେ। ଗାଁରେ ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କୁ ବୁଝାସୁଝା କରିବା ସହ ବ୍ୟବସାୟ ବନ୍ଦ କରିବାକୁ ନୋଟିସ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ଏହି ନିଷ୍ପତ୍ତି ଅନୁଯାୟୀ, ମହିଳା ମହାସଂଘ ଓ ଦଳିତ ମହିଳା ଶକ୍ତି ସଂଗଠନର ସଦସ୍ୟାମାନେ ଗାଁରେ ବୁଲି ନୋଟିସ ପ୍ରଦାନ କରୁଥିଲେ। ଏହି ସମୟରେ ମଦ ବ୍ୟବସାୟରେ ସମ୍ପୃକ୍ତ ଜଣେ ଯୁବକ ମହିଳାମାନଙ୍କୁ ଭୟଭୀତ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ କେତେକ ମହିଳା ଆହତ ହୋଇଥିବା ଏବଂ ସେମାନଙ୍କୁ ସୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି। ଏଥିସହ ମହିଳାମାନଙ୍କୁ ଏକୁଟିଆ ପାଇଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ଗୁରୁବାର ଶତାଧିକ ମହିଳା ଦାରିଙ୍ଗବାଡ଼ି ଥାନାରେ ପହଞ୍ଚି ଘେରାଉ କରିଥିଲେ। ମହିଳାମାନେ ଥାନାଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଆହତ ମହିଳାମାନଙ୍କ ଚିକିତ୍ସା ସମ୍ପର୍କିତ ମେଡିକାଲ ରିପୋର୍ଟ ମଧ୍ୟ ଅଭିଯୋଗପତ୍ର ସହ ସଂଲଗ୍ନ କରାଯିବ ବୋଲି ଜଣାପଡ଼ିଛି।

ଏ ସମ୍ପର୍କରେ ଥାନାଧିକାରୀ ସଂଗ୍ରାମ କେଶରୀ ଜେନା କହିଛନ୍ତି ଯେ, ଚୋରା ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ପୂର୍ବରୁ ମାମଲା ରୁଜୁ କରିଛି। ବର୍ତ୍ତମାନ ମହିଳାମାନଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ପ୍ରମାଣିତ ହେବ, ତାଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୋଲିସର ଏହି ପ୍ରତିଶ୍ରୁତି ପରେ ମହିଳାମାନେ ନିଜ ଆନ୍ଦୋଳନ ସ୍ଥଗିତ ରଖି ଘରକୁ ଫେରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।