ଏଥର IPL ଖେଳିବେନି ୧୧.୭୫ କୋଟି ଟଙ୍କାର ଏହି ସୁପରଷ୍ଟାର ଖେଳାଳି! ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Oct 16, 2026 - 11:04
ଏଥର IPL ଖେଳିବେନି ୧୧.୭୫ କୋଟି ଟଙ୍କାର ଏହି ସୁପରଷ୍ଟାର ଖେଳାଳି! ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସମେତ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍‌ର ଲୋକପ୍ରିୟତା ବଢ଼ୁଥିବାରୁ ଜାତୀୟ ଦଳ ପାଇଁ ଖେଳାଳିଙ୍କୁ ସବୁବେଳେ ଉପଲବ୍ଧ ରଖିବା କଷ୍ଟକର ହୋଇପଡ଼ୁଛି। ଏହାକୁ ନେଇ ଅନେକ ଦେଶର କ୍ରିକେଟ ବୋର୍ଡ ଓ ଟିମ ମ୍ୟାନେଜମେଣ୍ଟ ଚିନ୍ତାରେ ରହିଛନ୍ତି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆର ଷ୍ଟାର୍‌ ଦ୍ରୁତ ବୋଲର୍‌ ମିଚେଲ ଷ୍ଟାର୍କଙ୍କ IPL ୨୦୨୭ରେ ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି।

ଆସନ୍ତା ବର୍ଷ ଅଷ୍ଟ୍ରେଲିଆର ବ୍ୟସ୍ତବହୁଳ ଟେଷ୍ଟ କ୍ୟାଲେଣ୍ଡର ସହ ଆଇପିଏଲ କାର୍ଯ୍ୟସୂଚୀ ଧକ୍କା ଖାଇପାରେ। ଏଥିରେ ୨୦୨୭ ମାର୍ଚ୍ଚ ୧୧ରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଐତିହାସିକ ୧୫୦ତମ ବାର୍ଷିକୀ ଟେଷ୍ଟ ଏବଂ ଆଗାମୀ ଆଶେସ ସିରିଜ ମଧ୍ୟ ସାମିଲ ରହିଛି। ଏହି କାରଣରୁ ଷ୍ଟାର୍କଙ୍କ ଆଇପିଏଲ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଆଇପିଏଲ ୨୦୨୭ରେ ନିଜ ଉପଲବ୍ଧତା ସମ୍ପର୍କରେ ଷ୍ଟାର୍କ ସ୍ପଷ୍ଟ କରିଛନ୍ତି, ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ। ଏହି ପ୍ରସଙ୍ଗରେ ଆଲୋଚନା ଚାଲିଥିବା ସେ ସ୍ବୀକାର କରିଛନ୍ତି। ଏହି ବୟାନରୁ ସ୍ପଷ୍ଟ ହେଉଛି ଯେ, ଆଗାମୀ ସିଜିନରେ ତାଙ୍କ ଅଂଶଗ୍ରହଣକୁ ନେଇ ଏବେଠାରୁ କୌଣସି ନିଶ୍ଚିତ ନିଷ୍କର୍ଷରେ ପହଞ୍ଚିବା ସମ୍ଭବ ନୁହେଁ।
ଅଷ୍ଟ୍ରେଲିଆର ମୁଖ୍ୟ କୋଚ ଆଣ୍ଡ୍ରୁ ମ୍ୟାକ୍ଡୋନାଲ୍ଡ ଫ୍ରାଞ୍ଚାଇଜ କ୍ରିକେଟ ଓ ଜାତୀୟ ଦଳର ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବାର ଆହ୍ବାନ ସମ୍ପର୍କରେ ମତ ରଖିଛନ୍ତି। ସେ କହିଛନ୍ତି, ଆଇପିଏଲ ଏକ ଉଚ୍ଚସ୍ତରୀୟ ଟି-୨୦ ପ୍ରତିଯୋଗିତା ଏବଂ ଏଥିରେ ଖେଳିବା ଅଷ୍ଟ୍ରେଲୀୟ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆଣିପାରେ। କିନ୍ତୁ ଏହା ସହିତ ଶାରୀରିକ ସକ୍ଷମତା ଓ କାର୍ଯ୍ୟଭାର ପରିଚାଳନା ମଧ୍ୟ ଜରୁରୀ।

ମ୍ୟାକ୍ଡୋନାଲ୍ଡ କହିଛନ୍ତି, ଆଇପିଏଲ ଏବଂ ସେହି ସମୟକୁ ନେଇ ଆଲୋଚନା ଆରମ୍ଭ ହେବ ବୋଲି ମୁଁ ଜାଣିଛି। ଆମର ଅନେକ ଖେଳାଳିଙ୍କ ପରିଚାଳନା ଯୋଜନାରେ ଆଇପିଏଲ ସାମିଲ ରହିଛି। ଟି-୨୦ କ୍ରିକେଟ ଦୃଷ୍ଟିରୁ ଏହା ସର୍ବୋତ୍ତମ ପ୍ରତିଯୋଗିତା ମଧ୍ୟରୁ ଗୋଟିଏ। ଏଥିରେ ଆମର ଶ୍ରେଷ୍ଠ ଖେଳାଳିମାନେ ଖେଳିଲେ ସେମାନଙ୍କ ପ୍ରଦର୍ଶନରେ ମଧ୍ୟ ଲାଭ ମିଳେ। କେବଳ ଏହି ଦୁଇଟି ଦିଗ ମଧ୍ୟରେ ସନ୍ତୁଳନ ରଖିବା ଜରୁରୀ।

ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ଷ୍ଟାର୍କଙ୍କୁ ୧୧.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା। କିନ୍ତୁ ଆଘାତଜନିତ ସମସ୍ୟା ଯୋଗୁ ସେ ୨୦୨୬ ସିଜିନ୍‌ରେ ମାତ୍ର ୬ଟି ମ୍ୟାଚ ଖେଳିପାରିଥିଲେ।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।