ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର
ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର ଚିତ୍ରସେନ ଜେନା।
ସୂଚନା ଅନୁଯାୟୀ, ସୋମବାର ରାତିରେ ଗ୍ରାମରେ ଯାତ୍ରାନାଟକ ପାଇଁ ଚାଲିଥିବା ରିହର୍ସାଲ ଚିତ୍ରସେନ ଦେଖୁଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଜଣ ଯୁବକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଆକ୍ରମଣରେ ଚିତ୍ରସେନ ଗୁରୁତର ଆହତ ହୋଇଥିଲେ।
ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମଙ୍ଗଳବାର ସକାଳେ ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଚିତ୍ରସେନଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ପରେ ଛୁରୀରେ ଆକ୍ରମଣ କରିଥିବା ଦୁଇ ଯୁବକ ଫେରାର ଥିବା ଜଣାପଡ଼ିଛି। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ପରେ ମଙ୍ଗଳବାର ଅପରାହ୍ନରେ ଚିତ୍ରସେନଙ୍କ ମୃତଦେହକୁ ତାଙ୍କ ଗ୍ରାମକୁ ଅଣାଯାଇଥିଲା। ଏହାକୁ ନେଇ ଖୋଜାପଲ୍ଲୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।