ଜଙ୍ଗଲ ଭିତରେ ତାଳପତ୍ର କୁଡ଼ିଆରେ ବିତୁଛି ୫ ପରିବାରର ଜୀବନ, ପ୍ରଶାସନର ନଜର ପଡୁନି
ପୁରୁଷୋତ୍ତମପୁର,୧୪ା୧୦(ସବିତା ମିଶ୍ର): ‘ବିକଶିତ ଭାରତ ଓ ବିକଶିତ ଓଡ଼ିଶା’ ନାରା ଭିତରେ ଲୁଚି ରହିଛି ଗରିବୀର କରୁଣ ଚିତ୍ର। ଗଞ୍ଜାମ ଜିିଲା ଖଲ୍ଲିକୋଟ ନିର୍ବାନମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ କେ.ଏନ.ପୁର ପଞ୍ଚାୟତର ବାଗଦେବୀ ଛକ ନିକଟରେ ଥିବା ପାହାଡ଼ ତଳେ ଦୀର୍ଘ ୪୦ ବର୍ଷ ହେଲା ୫ଟି ଗରିବ ପରିବାର ଅତ୍ୟନ୍ତ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି।
ନିଜସ୍ବ ଜମି ପଟ୍ଟା ନ ଥିବାରୁ ଏମାନେ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ତାଳପତ୍ର କୁଡ଼ିଆରେ ରହୁଛନ୍ତି। ଖୋଲା ଆକାଶ ତଳେ ରୋଷେଇ କରୁଥିବାରୁ ବର୍ଷା ଦିନେ ଏମାନଙ୍କୁ ଭୋକ-ଉପାସରେ ରହିବାକୁ ପଡ଼ୁଛି।
ଜଙ୍ଗଲିଆ ପରିବେଶ ହେତୁ ସାପ ଓ ହିଂସ୍ର ଜନ୍ତୁଙ୍କ ଭୟ ସଦାବେଳେ ରହିଛି। ପାନୀୟ ଜଳର ସୁବିଧା ନ ଥିବାରୁ ନିକଟସ୍ଥ ନାଳର ଦୂଷିତ ପାଣି ପିଇବାକୁ ଏମାନେ ବାଧ୍ୟ ହେଉଛନ୍ତି।
ଖଜୁରି ପତ୍ରରୁ ଝାଡ଼ୁ ତିଆରି କରି ଓ ଦିନମଜୁରି ଖଟି ଏମାନେ ପେଟ ପୋଷନ୍ତି। କେତେକଙ୍କୁ ରେସନ କାର୍ଡ ଓ ଭତ୍ତା ମଧ୍ୟ ମିଳିନାହିଁ।
କାଞ୍ଚନ ଶିକାରୀ (୬୫) କୁହନ୍ତି, ପଟ୍ଟା ନ ଥିବାରୁ ଘର ମିଳୁନାହିଁ; ଶୌଚାଳୟ ଅଛି ସତ, କିନ୍ତୁ ପାଣି ନାହିଁ।
ସେହିପରି ସୀମାରିନା କୁହନ୍ତି, ୫ ବର୍ଷ ତଳୁ ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ଭତ୍ତା କି ରାଶନ କାର୍ଡ ମିଳିନାହିଁ। ଅଭାବ ଯୋଗୁ ୨ ଶିଶୁଙ୍କୁ ପାଠ ପଢ଼ାଇ ପାରୁନାହାନ୍ତି।
୧୨ ବର୍ଷର ଦିବ୍ୟାଙ୍ଗ ପୁଅ ଓ ୭ ବର୍ଷର ଝିଅଙ୍କୁ ନେଇ ସାପ-ଜନ୍ତୁଙ୍କ ଭୟ ଭିତରେ କୁଡ଼ିଆରେ ରହୁଛନ୍ତି।
ସରକାରୀ ଦପ୍ତରକୁ ବାରମ୍ବାର ଦୌଡ଼ିଥିଲେ ହେଁ ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ଦୃଷ୍ଟି ଏହି ନିରୀହ ପରିବାରଗୁଡ଼ିକ ଉପରେ ପଡ଼ୁନାହିଁ। ନିର୍ବାଚନ ଆସିଲେ ନେତାମାନେ ଭୋଟ ପାଇଁ ଆସୁଛନ୍ତି, ମାତ୍ର ଭୋଟ୍ ସରିଲେ ସବୁ ଭୁଲିଯାଉଛନ୍ତି ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।